ନୂଆଦିଲ୍ଲୀ : ଆସନ୍ତା ଅପ୍ରେଲ ୨ତାରିଖରେ କର୍‌ତାରପୁର କରିଡରକୁ ନେଇ ଭାରତ-ପାକ୍‌ ମଧ୍ୟରେ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ସଫା ସଫା ମନା କରି ଦେଇଛି ଭାରତ । ଯେ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଦ୍ୱାରା ଉଠା ଯାଇଥିବା ବିଷୟ ଉପରେ ଇସ୍‌ଲାମାବାଦ୍‌ ସ୍ପଷ୍ଟିକରଣ ନ ଦେଇଛି, ସେ ପର୍ଯ୍ୟନ୍ତ ଭାରତ କୌଣସି ବୈଠକରେ ଯୋଗ ଦେବ ନାହିଁ ବୋଲି ସ୍ପଷ୍ଟ କରି ଦିଆଯାଇଛି ।

Advertisment

publive-image India Today

ସୂଚନା ମୁତାବକ, ଅପ୍ରେଲ ୨ରେ କର୍‌ତାରପୁର କରିଡରକୁ ନେଇ ହେବାକୁ ଥିବା ବୈଠକ ପାଇଁ ବୁଧବାର ପାକିସ୍ତାନର ସୂଚନା ମନ୍ତ୍ରୀ ଚୌଧୁରୀ ଫଓ୍ଵାଦ୍‌ ହୁସେନ ଏକ ୧୦ଜଣିଆ କମିଟିର ଘୋଷଣା କରିଥିଲେ । ଯେଉଁଥିରେ ଜଣେ ଖାଲିସ୍ତାନୀ ସମର୍ଥକ ଗୋପାଲ ସିଂହ ଚାଓ୍ଵଲାଙ୍କୁ ସାମିଲ କରାଯାଇଥିଲା । ଭାରତ ପାକିସ୍ତାନର ଏହି ନିଷ୍ପତ୍ତିକୁ ବିରୋଧ କରି ଏହାର କାରଣ ପଚାରିବା ସହ ସ୍ପଷ୍ଟିକରଣ ମାଗିଛି । ଯେ ପର୍ଯ୍ୟନ୍ତ ପାକିସ୍ତାନ ଏ ନେଇ କୌଣସି ସ୍ପଷ୍ଟିକରଣ ଦେଇ ନାହଁ, ସେ ପର୍ଯ୍ୟନ୍ତ କର୍‌ତାରପୁର କରିଡରକୁ ନେଇ କୌଣସି ବୈଠକ ହେବ ବୋଲି ଭାରତ ସ୍ପଷ୍ଟ କରିଛି । ଅପ୍ରେଲ ୨ରେ ଓ୍ଵାଘା ସୀମାରେ ଏହି ବୈଠକ ହେବାକୁ ଥିବା ବେଳେ ଏବେ ପାକିସ୍ତାନ ଜବାବ ଦେବା ପରେ ହିଁ ବୈଠକ ହେବ ବୋଲି ଭାରତ ସ୍ପଷ୍ଟ ଭାଷାରେ ଜଣାଇ ଦେଇଛି ।

ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀ  ସଂଗଠନ ସହ ଜଡ଼ିତ ଗୋପାଲ ସିଂହ ଚାଓ୍ଵାଲାଙ୍କ ନାଁ ବିଭିନ୍ନ  ଆକ୍ରମଣରେ ସାମିଲ ଥିବାରୁ ଭାରତ ତାଙ୍କ ସଦସ୍ୟତାକୁ ନେଇ ଆପତ୍ତି ଉଠାଇଥିବା ଜଣାପଡ଼ିଛି । । ଗତବର୍ଷ ଅମୃତସରର ନିରଙ୍କାରୀ ଭବନ ଉପରେ ହୋଇଥିବା ଆକ୍ରମଣରେ ତାଙ୍କ ନାଁ ସାମ୍ନାକୁ ଆସିଥିଲା । ଯେଉଁ ଆକ୍ରମଣରେ ୩ଜଣ  ପ୍ରାଣ ହରାଇଥିଲେ । ଏହା ସହ ସେ ଭାରତୀୟ ନାଗରିକମାନଙ୍କୁ ଲାହୋରରେ ଥିବା ଏକ ଗୁରୁଦ୍ୱାରାକୁ ଯିବାକୁ ରୋକିଥିବା ମଧ୍ୟ ସୂଚନା ରହିଥିବାରୁ ଭାରତ ଗୋପାଲଙ୍କ ସଦସ୍ୟତା ଉପରେ ଆପତ୍ତି ଉଠାଇଛି ।