ଶିଶୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ : କେନ୍ଦ୍ର କ୍ୟାବିନେଟ୍‌ରେ ଅଧ୍ୟାଦେଶକୁ ମଞ୍ଜୁରି

ଦୁଷ୍କର୍ମକାରୀଙ୍କ ଜାମିନ ଉପରେ କଟକଣା, ବିଚାର ପାଇଁ ଫାଷ୍ଟ୍‌ଟ୍ରାକ୍‌ କୋର୍ଟ

ନୂଆଦିଲ୍ଲୀ : ଜମ୍ମୁର କଠୁଆରୁ ଆରମ୍ଭ କରି ଗୁଜରାଟର ସୁରଟ୍‌ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଶିଶୁ ଦୁଷ୍କର୍ମର ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ତତ୍ପରତା ଦେଖାଇଛନ୍ତି। ଦେଶବ୍ୟାପୀ ଏଭଳି ଅମାନୁଷିକ କାଣ୍ଡକୁ ନେଇ ବ୍ୟାପକ ଜନଅସନ୍ତୋଷ ଓ କ୍ରୋଧ ପରିପ୍ରେକ୍ଷୀରେ ଶିଶୁ ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବାପାଇଁ କେନ୍ଦ୍ର ସରକାର ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ୧୨ ବର୍ଷରୁ କମ୍‌ ବୟସର ଶିଶୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ଏଭଳି ଅଭିଯୁକ୍ତମାନଙ୍କୁ ଆଗୁଆ ଜାମିନ ମଧ୍ୟ ମିଳିବ ନାହିଁ। କେନ୍ଦ୍ର କ୍ୟାବିନେଟ୍‌ ଆଜି ଏହି ନିଷ୍ପତ୍ତି ନେବା ସହିତ ଏସଂକ୍ରାନ୍ତ ଅଧ୍ୟାଦେଶକୁ ମଞ୍ଜୁର କରିଛି। ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି), ଦି ଏଭିଡେଣ୍ଟ୍‌ ଆକ୍ଟ, ଦି କୋଡ୍‌ ଅଫ୍‌ କ୍ରିମିନାଲ୍‌ ପ୍ରୋସିଜିଓର (ସିଆରପିସି) ଏବଂ ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ (ପୋକ୍ସୋ) ଆଇନରେ ସଂଶୋଧନ ଆଣିବାପାଇଁ ଅଧ୍ୟାଦେଶ ଅଣାଯିବ। ଅଧ୍ୟାଦେଶ ଜାରି ହେଲେ ଏହା ଆଇନରେ ପରିଣତ ହେବ।

ପ୍ରସ୍ତାବିତ ଅଧ୍ୟାଦେଶ ଅନୁଯାୟୀ ଦୁଷ୍କର୍ମ ମାମଲାରେ ସର୍ବନିମ୍ନ ଜେଲଦଣ୍ଡ ୭ବର୍ଷରୁ ୧୦ ବର୍ଷକୁ ବୃଦ୍ଧି କରାଯାଇଛି। ସର୍ବାଧିକ ଦଣ୍ଡ ଆଜୀବନ ଜେଲ ରଖାଯାଇଛି। ସେହିଭଳି ୧୬ ବର୍ଷରୁ କମ୍‌ ବୟସର ନାବାଳିକୁ ଦୁର୍ଷ୍କମ କଲେ ସର୍ବନିମ୍ନ ଜେଲ୍‌ଦଣ୍ଡ ୧୦ ବର୍ଷରୁ ୨୦ ବର୍ଷକୁ ବୃଦ୍ଧି କରାଯାଇଛି। ସର୍ବାଧିକ ଦଣ୍ଡ ହେଉଛି ଆଜୀବନ ଜେଲ୍‌। ଜଜ୍‌ ଚାହିଁଲେ ଦୋଷୀ ସାରା ଜୀବନ ଜେଲ୍‌ରେ ବିତାଇବ।

ଦୁଷ୍କର୍ମ ମାମଲାର ତଦନ୍ତ ସୀମା ଦୁଇ ମାସ ରଖାଯାଇଛି। କୋର୍ଟ ମଧ୍ୟ ଏହି ମାମଲାର ବିଚାର ପ୍ରକ୍ରିୟା ଦୁଇ ମାସ ଭିତରେ ସାରିବେ। ଏହା ବିରୋଧରେ ଉଚ୍ଚ କୋର୍ଟରେ ଆବେଦନ ପାଇଁ ସର୍ବାଧିକ ୬ ମାସର ସମୟ ନିର୍ଧାରିତ କରାଯାଇଛି। ଦୁଷ୍କର୍ମ ମାମଲାର ତ୍ୱରିତ ବିଚାର ଲାଗି ଫାଷ୍ଟ ଟ୍ରାକ କୋର୍ଟ ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

ବର୍ତ୍ତମାନ ସଂସଦର ଅଧିବେଶନ ନଥିବାରୁ ଏ ବାବଦରେ ଅଧିକ ସମୟ ଅପଚୟ ନକରି ଯଥାଶୀଘ୍ର ପୋକ୍ସୋ ଆଇନରେ ସଂଶୋଧନ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନୂତନ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଯାଇଛି। ସୂଚନାଯୋଗ୍ୟ, ପୂର୍ବରୁ ପ୍ରଚଳିତ ପୋକ୍ସୋ ଆଇନରେ ଶିଶୁ ଦୁଷ୍କର୍ମକାରୀଙ୍କ ପାଇଁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଥିଲା। ୨୦୧୨ ମସିହାରେ ନିର୍ଭୟା ଗଣଦୁଷ୍କର୍ମ ଘଟଣା ପରେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ତଥା ପୀଡ଼ିତାର ଯଦି ଦୁଷ୍କର୍ମ ଯୋଗୁଁ ମୃତ୍ୟୁ ହୋଇଥାଏ କିମ୍ବା ଦୁଷ୍କର୍ମର ଶିକାର ହୋଇ ସେ ସାରା ଜୀବନ ନିଷ୍କ୍ରିୟ ଅବସ୍ଥାରେ ରହେ ତେବେ ସେକ୍ଷେତ୍ରରେ ମୃତ୍ୟୁଦଣ୍ଡ ପ୍ରାବଧାନ ହୋଇଥିଲା। ନିକଟରେ ୪ଟି ରାଜ୍ୟରେ ଶିଶୁ ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ବିଲ୍‌ ପାରିତ ହୋଇଛି। ଅନ୍ୟପକ୍ଷରେ ଆଜି କେନ୍ଦ୍ର ଦ୍ୱାରା ମଞ୍ଜୁର ହୋଇଥିବା ଅଧ୍ୟାଦେଶରେ ଦୁଷ୍କର୍ମକାରୀଙ୍କ ସର୍ବନିମ୍ନ ଜେଲ୍‌ ଦଣ୍ଡ ୭ କିମ୍ବା ୧୦ ବର୍ଷରୁ ଆଜୀବନ କାରାଦଣ୍ଡକୁ ପରିବର୍ତ୍ତିତ କରିବାପାଇଁ କୁହାଯାଇଛି।

କେନ୍ଦ୍ର ମଞ୍ଜୁରି ଦେଇଥିବା ଏହି ଅଧ୍ୟାଦେଶରେ ସମସ୍ତ ଦୁଷ୍କର୍ମ ମାମଲାର ତଦନ୍ତ ପ୍ରକ୍ରିୟାର ସମୟ ନିଧାର୍ଯ୍ୟ ମଧ୍ୟ କରାଯାଇଛି। ଯେକୌଣସି ଦୁଷ୍କର୍ମ ମାମଲାର ତଦନ୍ତ ୨ ମାସ ମଧ୍ୟରେ ସାରିବା ବାଧ୍ୟତାମୂଳକ ବୋଲି ଅଧ୍ୟାଦେଶରେ କୁହାଯାଇଛି। ସେହିପରି ସମସ୍ତ ଦୁଷ୍କର୍ମ ମାମଲାର ଆବେଦନଗୁଡ଼ିକ ଫଏସଲା କରିବାପାଇଁ ୬ ସପ୍ତାହ ସମୟ ଧାର୍ଯ୍ୟ କରାଯାଇଛି।

ଜାମିନ୍‌ ଉପରେ କଟକଣା: ଅଧ୍ୟାଦେଶରେ ମଧ୍ୟ ଜାମିନ ଉପରେ କଟକଣା ଲଗାଯାଇଛି। ୧୬ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀଙ୍କ ପାଇଁ ଆଗୁଆ ଜାମିନର ବ୍ୟବସ୍ଥା ନ ରହିବା ଉଚିତ୍‌ ବୋଲି ଉକ୍ତ ଅଧ୍ୟାଦେଶରେ କୁହାଯାଇଛି। ତେବେ ଏଭଳି କ୍ଷେତ୍ରରେ କୌଣସି ଅଭିଯୁକ୍ତଙ୍କୁ ଜାମିନ ଦେବାର ନିଷ୍ପତ୍ତି ନେବା ପୂର୍ବରୁ ସରକାରୀ ଆଇନଜୀବୀଙ୍କ ସହ ପୀଡ଼ିତା ପକ୍ଷଙ୍କ ପ୍ରତିନିଧିଙ୍କୁ ୧୫ ଦିନିଆ ନୋଟିସ୍‌ ଦେବେ ବୋଲି କୁହାଯାଇଛି।

ଫୌଜଦାରୀ ଆଇନରେ ସଂଶୋଧନ

ଦୁଷ୍କର୍ମକାରୀଙ୍କ ପାଇଁ ସର୍ବନିମ୍ନ ୭ରୁ ୧୦ ବର୍ଷ ଜେଲ୍‌ଦଣ୍ଡ ଥିବାବେଳେ ଏହା ଆଜୀବନ କାରାଦଣ୍ଡକୁ ବୃଦ୍ଧି ହେବ
ପୀଡ଼ିତା ୧୬ବର୍ଷରୁ କମ୍‌ ବୟସର ହୋଇଥିଲେ ସର୍ବନିମ୍ନ ଜେଲ୍‌ଦଣ୍ଡ ୧୦ ବର୍ଷରୁ ୨୦ ବର୍ଷକୁ ବୃଦ୍ଧି ହେବ ଏବଂ ଆବଶ୍ୟକସ୍ଥଳେ ଏହାକୁ ଆଜୀବନ କାରାଦଣ୍ଡରେ ମଧ୍ୟ ପରିଣତ କରାଯାଇପାରିବ
୧୬ ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ଗଣଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ଡ
୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ଗଣଦୁଷ୍କର୍ମ ପାଇଁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯିବ

ସମ୍ବନ୍ଧିତ ଖବର