ଭାରତ- ଚୀନ୍‌ ସୀମାନ୍ତକୁ ସୁରକ୍ଷିତ କରିବା ପାଇଁ ଭାରତ ଋଷିିଆରୁ କିଣିବ ଦୂରଗାମୀ ଏସ୍‌-୪୦୦ ଟ୍ରିୟମ୍ଫ କ୍ଷେପଣାସ୍ତ୍ର ପ୍ରଣାଳୀ

ନୂଆଦିଲ୍ଲୀ: ଦେଶର ବାୟୁସେନାକୁ ସଶକ୍ତ କରିବା ସହ ଦୀର୍ଘ ୪,୦୦୦ କିଲୋମିଟର ବ୍ୟାପି ଭାରତ- ଚୀନ୍‌ ସୀମାନ୍ତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଦୂରଗାମୀ (ଲଙ୍ଗରେଞ୍ଜ୍‌) ଏସ୍‌-୪୦୦ ଟ୍ରିୟମ୍ଫ କ୍ଷେପଣାସ୍ତ୍ର ପ୍ରଣାଳୀ (ମିସାଇଲ୍‌ ସିଷ୍ଟମ୍‌)କୁ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସାମିଲ କରିବା ପାଇଁ ଯାଉଛି। ଋଷିଆରୁ ୪୦,୦୦୦ କୋଟି ଟଙ୍କା ବିନିମୟରେ ଭାରତୀୟ ବାୟୁସେନା ପାଇଁ ଏହି ଏୟାର ଡିଫେନ୍ସ ମିସାଇଲ୍‌ ସିଷ୍ଟମ ଆମଦାନି କରିବାକୁ ଭାରତ ସମସ୍ତ ପ୍ରକାର ଆଲୋଚନା ଶେଷ କରିଛି ବୋଲି ଭାରତୀୟ ବାୟୁସେନାର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି। ଆସନ୍ତା ଅକ୍ଟୋବର ମାସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁତିନ୍‌ଙ୍କ ମଧ୍ୟରେ ହେବାକୁ ଥିବା ଶିଖର ବୈଠକରେ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ ବୋଲି ଜାଣିବାକୁ ମିଳିଛି।

ଦୀର୍ଘ ୪,୦୦୦ କିଲୋମିଟର ବ୍ୟାପି ଭାରତ- ଚୀନ୍‌ ସୀମାନ୍ତକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଦୂରଗାମୀ (ଲଙ୍ଗରେଞ୍ଜ୍‌) ଏସ୍‌-୪୦୦ ଟ୍ରିୟମ୍ଫ କ୍ଷେପଣାସ୍ତ୍ର ପ୍ରଣାଳୀକୁ ଭାରତୀୟ ବାୟୁସେନାରେ ସାମିଲ କରିବା ପାଇଁ ଭାରତ ଦୀର୍ଘ ଦିନରୁ ଲକ୍ଷ୍ୟ ରଖିଛି। ଏହି ଉଦ୍ଦେଶ୍ୟରେ ବିଗତ ୨୦୧୬ରେ ଭାରତ ଓ ଋଷିଆ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏସ୍‌-୪୦୦ ଟ୍ରିୟମ୍ଫ କ୍ଷେପଣାସ୍ତ୍ର ପ୍ରଣାଳୀ ହେଉଛି ଋଷିଆର ସର୍ବାଧୁନିକ ଓ ସର୍ବୋତ୍କଷ୍ଟ କ୍ଷେପଣାସ୍ତ୍ର ପ୍ରଣାଳୀ। ଏଥିରେ ଭୂପୃଷ୍ଠରୁ ଆକାଶମାର୍ଗକୁ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇ ପାରିବ। ଏବଂ ଭୂପୃଷ୍ଠରୁ ୪୦୦ କିଲୋମିଟର ଉଚ୍ଚତାରେ ଉଡ଼ୁଥିବା ଶତ୍ରୁପକ୍ଷର ଲଢ଼ୁଆ ବିମାନକୁ ଏହା ସଫଳତା ପୂର୍ବକ ଧ୍ୱଂସ କରିପାରିବ।

ସମ୍ବନ୍ଧିତ ଖବର