ଗୃହବନ୍ଦୀଥିବା କଶ୍ମୀର ନେତାମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ : ଆମେରିକା କୂଟନୀତିଜ୍ଞ

ଓ୍ଵାସିଂଟନ : ବିଗତ ୬ ମାସ ହେଲା ଗୃହବନ୍ଦୀଥିବା କଶ୍ମୀରର ରାଜନେତାମାନଙ୍କୁ ମୁକ୍ତ କରିବାକୁ ଆମେରିକା ଦାବି କରିଛି । ଆମେରିକାର ଜଣେ ବରିଷ୍ଠ କୂଟନୀତିଜ୍ଞ ଆଲିସ େଓ୍ଵଲସ କହିଛନ୍ତି ଯେ ବିନା କୌଣସି ଚାର୍ଜସିଟରେ ଗତ ୬ ମାସ ହେଲା ବନ୍ଦୀ ଥିବା ଜମ୍ମୁ ଓ କଶ୍ମୀରର ରାଜନେତାମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ । ଓ୍ଵାସିଂଟନଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କଶ୍ମୀର ନେତାମାନଙ୍କ ମୁକ୍ତ କରିବାକୁ ଆମେରିକା ସରକାର ଭାରତ ଉପରେ ଚାପ ପକାଇବା ଆବଶ୍ୟକ । ସେ କହିଛନ୍ତି ଯେ ନିକଟରେ ଭାରତ ସରକାର ଆମେରିକାର କୂଟନୀତିଜ୍ଞ କେନ ଜଷ୍ଟର ଓ ଅନ୍ୟ ଦେଶର କୂଟନୀତିଜ୍ଞମାନଙ୍କୁ କଶ୍ମୀର ବୁଲିବାକୁ ସୁଯୋଗ ଦେବା ଏକ ସକାରାତ୍ମକ ପଦକ୍ଷେପ । କିନ୍ତୁ ଭାରତ ସରକାର ନିୟମିତଭାବେ କୂଟନୀତିଜ୍ଞମାନଙ୍କୁ ଏହି ସୁଯୋଗ ପ୍ରଦାନ କରିବା ଉଚିତ ।

ନାଗରିକତା ସଂଶୋଧନ ଆଇନ ସଂପର୍କରେ ସେ କହିଛନ୍ତି ଯେ ଆଇନ ଆଗରେ ସମସ୍ତଙ୍କୁ ସମାନ ସୁରକ୍ଷା ମିଳିବା ଆବଶ୍ୟକ ।
କେନ୍ଦ୍ର ସରକାର ଗତବର୍ଷ ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଠାଇଦେବା ସହ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଥିଲେ । ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଲାଗି ସରକାର ଜାମ୍ମୁ ଓ କଶ୍ମୀର ପ୍ରମୁଖ ନେତାମାନଙ୍କୁ ଗୃହବନ୍ଦୀ କରିଦେଇଥିଲେ । ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମର ଅବଦୁଲ୍ଲା ଓ ମେହେବୁବା ମୁଫତି ।

ସମ୍ବନ୍ଧିତ ଖବର