ନିରବ ମୋଦି ପ୍ରତ୍ୟାର୍ପଣ ମାମଲାରେ ହଂକଂ ସରକାରଙ୍କଠାରୁ ଏପର୍ଯ୍ୟନ୍ତ ଜବାବ ମିଳିନାହିଁ

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗୁରୁବାରଦିନ କୁହାଯାଇଛି ଯେ ପିଏନବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିକୁ ଗିରଫ ପ୍ରତ୍ୟାର୍ପଣ କରିବାକୁ ହଂକଂ ସରକାରଙ୍କୁ ଅନୁରୋଧ କରାଯାଇଛି । ତେବେ ଏ ସଂପର୍କରେ ହଂକଂ ସରକାରଙ୍କ କୌଣସି ଜବାବ ଏପର୍ଯ୍ୟନ୍ତ ମିଳିନାହିଁ । ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଅପରାଧୀଙ୍କ ପ୍ରତ୍ୟାର୍ପଣ ପାଇଁ ଭାରତ ଓ ହଂକଂ ମଧ୍ୟରେ ଏକ ରାଜିନାମା ଅଛି । ଏହି ରାଜିନାମା ବଳରେ ହିଁ ନିରବ ମୋଦିକୁ ପ୍ରତ୍ୟାର୍ପଣ ପାଇଁ ଆବେଦନ କରାଯାଇଛି ।

ଗତ ସପ୍ତାହରେ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.କେ. ସିଂ ସଂସଦରେ ଏକ ଲିଖିତ ଉତ୍ତର ରଖି କହିଥିଲେ ଯେ ଦେଶର ସବୁଠୁ ବଡ଼ ଠକ ନିରବ ମୋଦି ହଂକଂରେ ଥିବା ସଂଦେହ କରାଯାଉଛି । ଏ ନେଇ ଗୁଇନ୍ଦା ସୁତ୍ରରୁ ସୁରାକ ମିଳିବା ପରେ ତାକୁ ଗିରଫ କରିବାକୁ ଭାରତ ସରକାର ହଂକଂର ସ୍ୱତନ୍ତ୍ର ପ୍ରାଶାସନିକ ଅଞ୍ଚଳ ସରକାରଙ୍କୁ ଅନୁରୋଧ କରାଯାଇଛି । ଚୀନ ସରକାର ମଧ୍ୟ ଏ ମାମଲାରେ ହଂକଂ ନିଷ୍ପତ୍ତି ନେବ ବୋଲି କହିସାରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚୀନ ଅଧିନରେ ଆସୁଥିଲେ ମଧ୍ୟ ହଂକଂ କେତେକ ପ୍ରାଶାସନିକ ସ୍ୱାୟତ୍ତତା ଉପଭୋଗ କରିଥାଏ ।

ସୂଚନାଯୋଗ୍ୟ ଯେ ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ ଚୋକସୀ ମିଳିତଭାବେ ଷଡ଼ଯନ୍ତ୍ର କରି ଜାଲ ଏଲଓୟୁ ମାଧ୍ୟମରେ ପିଏନବିରୁ ୧୩ ହଜାର କୋଟି ଟଙ୍କା ଠକେଇ କରିଥିବା ଗତ ଫେବ୍ରୁଆରୀ ମାସରେ ଜଣାପଡିଥିଲା । ପିଏନବି ଠକେଇ ମାମଲାର ସିବିଆଇ ତଦନ୍ତ କରୁଛି । କିନ୍ତୁ ଏହା ସହିତ ଇଡି ମଧ୍ୟ ଏକ ମନି ଲଣ୍ଡରିଂ ମାମଲା ରଜ୍ଜୁ କରିଛି ।

ସମ୍ବନ୍ଧିତ ଖବର