୧୧୦ଟି ଲଢୁଆ ବିମାନ କିଣିବ ଭାରତ, ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଭାରତ ସରକାର ଏକ ବୃହତ୍‌ ପ୍ରତିରକ୍ଷା ଡିଲ୍‌ କରିବାକୁ ଯାଉଛନ୍ତି । ଏହା ମାଧ୍ୟମରେ ପ୍ରାୟ ୧.୨୫ ଲକ୍ଷ କୋଟି ବା ୨୦ ବିଲିୟନ ଡଲାର ବିନିମୟରେ ୧୧୦ଟି ଲଢୁଆ ବିମାନ ଖରିଦ କରାଯିବ । ଏଥିପାଇଁ ସରକାର ଶୁକ୍ରବାରଦିନ ପ୍ରାରମ୍ଭିକ ଗ୍ଲୋବାଲ ଟେଣ୍ଡର (RFI ବା ରେକ୍ୱେଷ୍ଟ ଫର ଇନଫର୍ମେସନ) ଡାକିଛନ୍ତି । ଏହି ୧୧୦ଟି ମଧ୍ୟରୁ ୭୫ ପ୍ରତିଶତ ବିମାନ ହେଉଛି ଗୋଟିଏ ସିଟ୍‌ ବାଲା ବିମାନ । ତେବେ ସରକାରଙ୍କ ମେକ ଇନ ଇଣ୍ଡିଆ ଯୋଜନା ଅନୁସାରେ ଏହି ବିମାନଗୁଡ଼ିକର ପ୍ରାୟ ୮୫% ପ୍ରତିଶତ ଭାରତରେ ନିର୍ମାଣ କରାଯିବ । ଏହି ଆରଏଫଆଇ ପାଇଁ ଶେଷ ତାରିଖ ଜୁଲାଇ ୩ ରଖାଯାଇଛି । ଏହା ପରେ ହିଁ ବାୟୁସେନା ପକ୍ଷରୁ ଆନୁଷ୍ଠାନିକ ଭାବେ ଟେକନିକାଲ ଓ କମର୍ସିଆଲ ଟେଣ୍ଡର ଆହ୍ଵାନ କରାଯିବ ।

ଭାରତୀୟ ବାୟୁ ସେନାର ୪୨ଟି ସ୍ୱାର୍ଡନ ଆବଶ୍ୟକତା ଥିବାବେଳେ ଏବେ ମାତ୍ର ୩୧ଟି ସ୍ୱାର୍ଡନ ( ଗୋଟିଏ ସ୍ୱାର୍ଡନରେ ୧୮ଟି ଲଢୁଆ ବିମାନ ଥାଏ ) ରହିଛି । ଏହି ଅଭାବକୁ ପୂରଣ କରିବାକୁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଏହି ନିଲାମ ଡାକିଛନ୍ତି । ତେବେ ଏହି ପ୍ରକ୍ରିୟାରେ ବିମାନ ଡେଲିଭରୀ ହେଉ ହେଉ ବେଶ କିଛି ବର୍ଷ ଲାଗିଯିବ ।

ସମ୍ବନ୍ଧିତ ଖବର