ଚୀନ୍‌କୁ ଟକ୍କର ଦେବା ଲାଗି ଭାରତ ଆମେରିକାରୁ କିଣିବ ୨୪ଟି ରୋମିଓ ସିହକ୍‌ ହେଲିକପ୍ଟର

ଓ୍ଵାସିଂଟନ୍‌: ଭାରତ ଆମେରିକାରୁ ୨୪ଟି ଆଣ୍ଟି-ସବ୍‌ମେରିନ୍‌ ରୋମିଓ ହେଲିକପ୍ଟର କିଣିବ ବୋଲି ଜଣାପଡ଼ିଛି।୨ ବିଲିୟନ୍‌ ଡଲାର୍‌ ବ୍ୟୟରେ ହେଲିକପ୍ଟର୍‌ ଖରିଦ କରାଯିବ ବୋଲି ସୂଚନା ମିଳିଛି। ଭାରତ ମହାସାଗରରେ ଚୀନର ଉପଦ୍ରବ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ଲାଗି ଏହି ଅତ୍ୟାଧୁନିକ ହେଲିକପ୍ଟର ଭାରତ ପାଇଁ ଜରୁରୀ ହୋଇପଡ଼ିଛି।

ପ୍ରାୟ ଏକ ଦଶନ୍ଧି ହେବ ନୌସେନା ଏହି ଶ୍ରେଣୀର ଆଣ୍ଟି-ସବ୍‌ମେରିନ୍‌ ହେଲିକପ୍ଟର ଆବଶ୍ୟକ କରୁଥିଲା। ଆଉ କିଛି ମାସ ମଧ୍ୟରେ ଏହାର ବିକ୍ରି ଲାଗି ଚୁକ୍ତି ସଂପାଦିତ ହେବ ବୋଲି ଜଣାପଡ଼ିଛି। ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ଉପ-ରାଷ୍ଟ୍ରପତି ମାଇକ୍‌ ପେନ୍ସଙ୍କ ମଧ୍ୟରେ ଏ ନେଇ ପ୍ରାଥମିକ ଆଲୋଚନା ହୋଇଛି।

ସୂତ୍ର ଅନୁସାରେ ଭାରତ ୨୪ଟି ଏମ୍‌ଏଚ୍‌ ୬୦ ରୋମିଓ ସିହକ୍‌ ହେଲିକପ୍ଟର ଜରୁରୀ ଭାବେ ଆବଶ୍ୟକ କରୁଛି ବୋଲି ଆମେରିକାର ପ୍ରଶଂସନକୁ ଏକ ପତ୍ର ଜରିଆରେ ସୂଚିତ କରାଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଆମେରିକା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଅସୁବିଧା ନାହିଁ ବୋଲି ମତବ୍ୟକ୍ତ କରିବା ପରେ ଭାରତ-ଆମେରିକା ସାମରିକ ସଂପର୍କ ତ୍ୱରାନ୍ଵିତ ହୋଇଛି।

ଭାରତ ମହାସାଗରରେ ଚୀନର ଆଧିପତ୍ୟ ବୃଦ୍ଧି ଯୋଗୁଁ ଭାରତ ଏହି ଅତ୍ୟାଧୁନିକ ହେଲିକପ୍ଟର ଆବଶ୍ୟକ କରୁଛି। ରୋମିଓ ସିହକ୍‌ ଫ୍ରିଗେଟ୍‌, ଡ୍ରେଷ୍ଟୟର୍‌,କ୍ରୁଇଜର୍‌ ଭଳି ସମସ୍ତ ଯୁଦ୍ଧପୋତରୁ କାର୍ଯ୍ୟ କରିପାରିବ ।ଏହା ବିଶ୍ୱର ସବୁଠାରୁ ଅତ୍ୟାଧୁନିିକ ଯୁଦ୍ଧ ହେଲିକପ୍ଟର ବୋଲି ସାମରିକ ବିଶେଷଜ୍ଞ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର