ଆମେରିକାର ବିରୋଧ ସତ୍ତ୍ୱେ ଚାବାହାର ବନ୍ଦରକୁ କାର୍ଯ୍ୟକ୍ଷମ କରିବ ଭାରତ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ସୁଦ୍ଧା ଇରାନର ଚାବାହର ବନ୍ଦରକୁ କାର୍ଯ୍ୟକ୍ରମ କରିବାକୁ ଭାରତ ଉଦ୍ୟମ କରୁଛି । କେନ୍ଦ୍ର ଜଳ ସମ୍ବଳ, ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡକରୀ ଦୁଶାନବେର ଭାରତୀୟ ଦୂତାବାସରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରର ଉଦଘାଟନ ଏହା କହିଛନ୍ତି ।

ସାମରିକ ଓ କୂଟନୈତିକ ଦୃଷ୍ଟିକୋଣରୁ ଏହି ବନ୍ଦର ଭାରତ ପାଇଁ ବେଶ ଗୁରୁତ୍ୱବହନ କରୁଛି । କାରଣ ଏହି ବନ୍ଦରଟି ପାକିସ୍ତାନର ଗ୍ଵାଦର ବନ୍ଦର ନିକଟରେ ଅବସ୍ଥିତ । ପାକିସ୍ତାନର ଏହି ବନ୍ଦରକୁ ଚୀନ ସହାୟତାରେ ନିର୍ମାଣ କରାଯାଉଛି । ପାକିସ୍ତାନର ଏହି ବନ୍ଦର ଭାରତର ପଶ୍ଚିମ ସୀମା ପାଇଁ ବିପଦ ହୋଇଥିବାରୁ ତାହାର ମୁକାବିଲା କରିବା ପାଇଁ ଭାରତ ପକ୍ଷରୁ ଇରାନ ସହଯୋଗରେ ଏହି ବନ୍ଦରର ପରିକଳ୍ପନା କରାଯାଇଥିଲା । ଏହି ବନ୍ଦର ଖୋଲିବା ଦ୍ୱାରା ଆଫଗାନିସ୍ତାନ ଓ ଅନ୍ୟାନ୍ୟ କେନ୍ଦ୍ର ଏସୀୟ ଦେଶମାନଙ୍କ ପାଇଁ ଏକ ବିକଳ୍ପ ପଥ ଖୋଲିଯିବ । ବିଶେଷକରି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଭଲ ନଥିବାରୁ ଆଫଗାନିସ୍ତାନ ଏହା ଦ୍ୱାରା ସର୍ବାଧିକ ଉପକୃତ ହୋଇପାରିବ । ତେବେ ଇରାନ ସହଯୋଗରେ ଭାରତ ଏହାକୁ ନିର୍ମାଣ କରୁଥିବାରୁ ଆମେରିକା ଭାରତ ଉପରେ ଅସନ୍ତୁଷ୍ଟ ଅଛି । ଏହା ସତ୍ତ୍ୱେ ଭାରତ ଏହି ବନ୍ଦର ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଛି ।

ତାଜିକିସ୍ତାନରେ ଅନୁଷ୍ଠିତ ହେଉଥିବା ‘ଇଣ୍ଟରନ୍ୟାସନାଲ ଡିକେଡ୍ ଫର ଆକ୍ସନ; ୱାଟର ଫର ସଷ୍ଟେନବୁଲ ଡେଭଲପମେଣ୍ଟ’ ଶୀର୍ଷକ ଉଚ୍ଚସ୍ତରୀୟ ଅଧିବେଶନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ଶ୍ରୀ ଗଡକରୀ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି । ଗସ୍ତ ଅବସରରେ ସେ ତାଜିକିସ୍ତାନର ବିଦେଶ ମନ୍ତ୍ରୀ ସିରୋଦଜିଦିନ୍ ମୁହରିଦିନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବାକୁ ପାରସ୍ପରିକ ସହଯୋଗ ସକାଶେ ଉଭୟ ସହମତ ହୋଇଥିଲେ । ନୁଆଦିଲ୍ଲୀ ସହ ତାଜିକିସ୍ତାନର ଆର୍ଥିକ ସମ୍ପର୍କ ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ଗଡକରୀ ତାଜିକିସ୍ତାନର ନେତାଙ୍କୁ ଅବଗତ କରାଇଥିଲେ । ତାଜିକସ୍ତାନର ମୌଳିକ ଭିତିଭୂମିର ବିକାଶ ଦିଗରେ ଭାରତୀୟ ବିଶେଷଜ୍ଞମାନେ ଯୋଗଦାନ କରିବାକୁ ଆଗ୍ରହୀ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର