ଚୀନ ସୀମାରେ ୭ଟି ନୂଆ ମିଲିଟାରୀ ଏୟାରଫିଲ୍‌ଡ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ : ଚୀନ ଆଡୁ ବିପଦର ଆଶଙ୍କା ବଢିଚାଲିଥିବାରୁ ଚୀନସୀମାରେ ଭିତ୍ତିଭୂମି ନିର୍ମାଣ ଉପରେ ଭାରତ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏହି ସୀମାର ଆରପଟେ ଚୀନ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅନେକ ଦୂର ଆଗେଇ ଯାଇଥିବାରୁ ଭାରତ ଏବେ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପ୍ରକଳ୍ପ ହାତକୁ ନେଉଛି । ଚୀନ ସୀମାରେ ଭାରତର ଏବେ ୮ଟି ବାୟୁସେନା ଘାଟି ଥିବାବେଳେ ଆହୁରି ୭ଟି ଆଡଭାନ୍ସଡ ଲାଣ୍ଡିଂ ଗ୍ରାଉଣ୍ଡ (ଏଏଲଜି) ନିର୍ମାଣ ପାଇଁ ଭାରତ ନିଷ୍ପତ୍ତି ନେଇଛି । ଏହା ସହିତ ପୂର୍ବରୁ ଥିବା ୮ଟି ଘାଟିର ଆଧୁନୀକିକରଣ କରାଯିବ । ହିମାଳୟ ପାର୍ବତ୍ୟାଞ୍ଚଳର ଦୁର୍ଗମ ଅଂଚଳରେ ଏସବୁ ଘାଟି ନିର୍ମାଣ ବେଶ କଷ୍ଟକର, ସମୟ ବ୍ୟୟସାପେକ୍ଷ ହୋଇଥିଲେ ମଧ୍ୟ ଯଥା ଶୀଘ୍ର ଏସବୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

 

ପ୍ରତିରକ୍ଷାମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ ଥିବା ପାଶିଘାଟ ଓ ଦୋଲୁଙ୍ଗମୁଖଠାରେ ବାୟୁସେନା ପକ୍ଷରୁ ଅନୁଷ୍ଠିତ ସାମରିକ ଅଭ୍ୟାସ ଗଗନ ଶକ୍ତି ଦେଖିବା ପରେ ଏହି ସୂଚନା ଦେଇଛନ୍ତି । ଅରୁଣାଚଳରେ ଥିବା ଏହି ଦୁଇଟି ଏଏଲଜିର ଆଧୁନୀକୀକରଣ କରାଯିବ ବୋଲି ସେ କହିଛନ୍ତି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ବିଶାଳ ଗଗନ ଶକ୍ତି ଯୁଦ୍ଧାଭ୍ୟାସରେ ୧୧୦୦ଟି ଲଢୁଆ ବିମାନ, ପରିବହନ ବିମାନ ଓ ହେଲିକାପ୍ଟର ଭାଗ ନେଇଛି । ଏଥିରେ ପ୍ରାୟ ୩୦୦ ଅଫିସର ଓ ୧୫୦୦୦ ବାୟୁସେନା ଜବାନ ଭାଗନେଇଛନ୍ତି ।

ସମ୍ବନ୍ଧିତ ଖବର