୨୦୨୦ ଅକ୍ଟୋବରରେ ଭାରତ ହାତକୁ ଆସିବ ପ୍ରଥମ ଏସ-୪୦୦ ମିସାଇଲ ସିଷ୍ଟମ୍‌

ନୂଆଦିଲ୍ଲୀ : ଭାରତ ଋଷିଆଠାରୁ କିଣିବାକୁ ଥିବା ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ୍ସର ପ୍ରଥମ ଡେଲିଭରୀ ଆସନ୍ତା ଅକ୍ଟୋବର ୨୦୨୦ ସୁଦ୍ଧା ହେବ ଓ ୨୦୨୩ ସୁଦ୍ଧା ସମସ୍ତ ୫ ସ୍ୱାର୍ଡନ ଏସ-୪୦୦ ଭାରତରେ ପହଞ୍ଚିବ ବୋଲି ଆଜି ଲୋକସଭାରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ କହିଛନ୍ତି ।

ଗତ ବର୍ଷ ଋଷିଆ ରାଷ୍ଟ୍ରପତି ପୁଟିନଙ୍କ ଗତ ଭାରତ ଗ୍ରସ୍ତ ସମୟରେ ୫ ସ୍ୱାର୍ଡନ ଏସ-୪୦୦ ମିସାଇଲ ଯୋଗାଣ ପାଇଁ ଚୁକ୍ତି ହୋଇଥିଲା । ଏଗୁଡିକର ମୋଟ ମୂଲ୍ୟ ପ୍ରାୟ ୫ ବିଲିୟନ ଡଲାର ହେବ । ଏହି ଏସ-୪୦୦ ଶତ୍ରପକ୍ଷର ଜେଟ, ମିସାଇଲ ଓ ଡ୍ରୋନକୁ ମାରି ଖସାଇଦେବ । ପ୍ରାୟ ୨୫୦ ମାଇଲ ଦୂରରୁ ଆସୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନକୁ ଠାବ କରି ଧ୍ୱଂସ କରିଦେବ । କେବଳ ସେତିକି ନୁହେଁ ଏହା ଏକାଥରକେ ୬ଟି ଟାର୍ଗେଟକୁ ଧ୍ୱଂସ କରିପାରିବ । ବିଶେଷକରି ଚୀନର ଅତ୍ୟାଧୁନିକ ବିମାନ ଜେ-୨୦କୁ ଆକାଶମାର୍ଗରେ ଧ୍ୱଂସ କରିଦେବାର କ୍ଷମତା ଏସ-୪୦୦ର ରହିଛି । ଏହାକୁ ନେଇ ଚୀନ ଚିନ୍ତିତ ହୋଇପଡିଛି । ଭାରତୀୟ ବାୟୁ ସେନା ମଧ୍ୟ ଚୀନ ଓ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣର ମୁକାବିଲା ଲାଗି ଏହି ଏସ-୪୦୦ ଅତ୍ୟନ୍ତ ଜରୁରୀ ବୋଲି ସରକାରଙ୍କୁ ଜଣାଇଛି ।

ସମ୍ବନ୍ଧିତ ଖବର