ଗୋଟିଏ ସମୟରେ ୬ଟି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବ ଏହି ଅସ୍ତ୍ର, ଖାସ୍‌ ପାକିସ୍ତାନ ଓ ଚୀନ ପାଇଁ କିଣୁଛି ଭାରତ

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନପଟୁ ବିପଦ ବଢୁଥିବାରୁ ଭାରତ ନିଜର ସୁରକ୍ଷା ବଢାଇବାକୁ ପଦକ୍ଷେପ ନେଉଛି । ବିଶେଷକରି ଶତ୍ରୁ ପକ୍ଷର କ୍ଷେପଣାସ୍ତ୍ର ଆକ୍ରମଣକୁ ନଷ୍ଟ କରିବାକୁ ଭାରତ ଗତ ଦୁଇ ବର୍ଷ ହେଲା ଋଷିଆର ସର୍ବାଧୁନିକ ଓ ଶକ୍ତିଶାଳୀ ବିମାନ ଓ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା ‘ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ’ କିଣିବାକୁ କଥାବାର୍ତ୍ତା ଚଳାଇଛି । ଏବେ ଏହି କଥାବାର୍ତ୍ତା ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି ଓ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ମସ୍କୋ ଗସ୍ତରେ ଯିବାବେଳେ ଏ ନେଇ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ ଋଷିଆରୁ ୫ଟି ଏସ-୪୦୦ ଟ୍ରିଅମ୍ପ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ କିଣିବାକୁ ଭାରତ ଚୁକ୍ତି କରିବାକୁ ଯାଉଛି । ପ୍ରାୟ ୩୯ ହଜାର କୋଟି ଟଙ୍କାରେ ଏହି କ୍ରୟ କରାଯିବ । ଏହାଛଡ଼ା ଭାରତ ଋଷିଆଠାରୁ କମୋଭ ହେଲିକାପ୍ଟର ମଧ୍ୟ କିଣିବ ।

ଏହି ଏସ-୪୦୦ ଶତ୍ରପକ୍ଷର ଜେଟ, ମିସାଇଲ ଓ ଡ୍ରୋନକୁ ମାରି ଖସାଇଦେବ । ପ୍ରାୟ ୨୫୦ ମାଇଲ ଦୂରରୁ ଆସୁଥିବା ଶତ୍ରୁପକ୍ଷର କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନକୁ ଠାବ କରି ଧ୍ୱଂସ କରିଦେବ । କେବଳ ସେତିକି ନୁହେଁ ଏହା ଏକାଥରକେ ୬ଟି ଟାର୍ଗେଟକୁ ଧ୍ୱଂସ କରିପାରିବ । ବିଶେଷକରି ଚୀନର ଅତ୍ୟାଧୁନିକ ବିମାନ ଜେ-୨୦କୁ ଆକାଶମାର୍ଗରେ ଧ୍ୱଂସ କରିଦେବାର କ୍ଷମତା ଏସ-୪୦୦ର ରହିଛି । ଏହାକୁ ନେଇ ଚୀନ ଚିନ୍ତିତ ହୋଇପଡିଛି । ଭାରତୀୟ ବାୟୁ ସେନା ମଧ୍ୟ ଚୀନ ଓ ପାକିସ୍ତାନର ସମ୍ଭାବ୍ୟ ଆକ୍ରମଣର ମୁକାବିଲା ଲାଗି ଏହି ଏସ-୪୦୦ ଅତ୍ୟନ୍ତ ଜରୁରୀ ବୋଲି ସରକାରଙ୍କୁ ଜଣାଇଛି ।

ଗତ ବର୍ଷ ଭାରତୀୟ ବାୟୁସେନା ଆସାମରେ ନିଜର ସବୁଠାରୁ ଲଢୁଆ ସୁଖୋଇ-୩୦ ବିମାନ ମୃତୟନ କରିବା ପରେ ଚୀନ ମଧ୍ୟ ସୀମା ସେପଟେ ନିଜର ସବୁଠାରୁ ଆଧୁନିକ ଜେ-୨୦ ଷ୍ଟେଲଥ ଫାଇଟରଜେଟ୍‌ ମୃତୟନ କରିଛି ।

ସମ୍ବନ୍ଧିତ ଖବର