ଭାରତର ଜିଦ ଆଗରେ ମୁଣ୍ଡନୁଆଁଇଲା ଆମେରିକା ! ଋଷିଆଠାରୁ ଏସ-୪୦୦ କିିଣିବା ପାଇଁ ଭାରତକୁ ଅନୁମତି ଦେବ

ଓ୍ଵାସିଂଟନ : ଶେଷରେ ଭାରତର ଜିଦ ଆଗରେ ମୁଣ୍ଡ ନୁଆଁଇଛି ଆମେରିକା । ଆମେରିକା ବାରମ୍ବାର  ଚାପ ପ୍ରୟୋଗ କରିବା ସତ୍ତ୍ୱେ ଭାରତ ଋଷିଆଠାରୁ ଏସ-୪୦୦ ଟ୍ରିଅମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦ କରିବାକୁ ଅଡି ବସିବା ପରେ ବାଧ୍ୟ ହୋଇ ଆମେରିକା ଭାରତ ପ୍ରତି କୋହଳ ମନୋଭାବ ପୋଷଣ କରିଛି । ଋଷିଆଠାରୁ  ଅସ୍ତ୍ରଶସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ କଟକଣା ଲାଗୁ ପାଇଁ ଆମେରିକା ଏକ ଆଇନ ପ୍ରଣୟନ କରିଛି । ଏହାର ନାମ ହେଉଛି  କାଉଣ୍ଟରିଂ ଆମେରିକାସ ଆଡଭର୍ସାରିଜ୍‌ ଥ୍ରୁ ସାଙ୍କସନ୍ସ ଆକ୍ଟ ( କାଟସା) । ତେବେ ଏହି ଆଇନ ରେ ଏକ ସଂଶୋଧନ ଆଣି ଭାରତ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ ପାଇଁ ପେଣ୍ଟାଗନ ଦାବି କରିଆସୁଥିଲା । ଖୁବଶୀଘ୍ର ଆମେରିକା ଏହି ସଂଶୋଧନ ବିଲ ଆଗତ ପାଇଁ ପ୍ରସ୍ତୁତି କରୁଥିବା ଜଣାଯାଇଛି ।

ଭାରତ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦ କରିବ ବୋଲି  କିଛିଦିନତଳେ  ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ  । ସେ କହିଥିଲେ ଯେ ବିଗତ କିଛି ବର୍ଷ ଧରି ଏହି କ୍ରୟ ପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ଏଣୁ ଏଥିରୁ ପଛକୁ ଫେରିବାର ପ୍ରଶ୍ନ ହିଁ ଉଠୁନାହିଁ । ଭାରତ ଗ୍ରସ୍ତରେ ଆସିଥିବା ଆମେରିକାର କଂଗ୍ରେସ ପ୍ରତିନିଧିମଣ୍ଡଳକୁ ମଧ୍ୟ ଏ ନେଇ ଅବଗତ କରାଯାଇଥିଲା । ଋଷିଆ ସହ ଭାରତର ଦୀର୍ଘ କାଳରୁ ସାମରିକ ସଂପର୍କ ରହିଆସିଛି । ଏହାକୁ ଭାଙ୍ଗିବା ସହଜ ନୁହେଁ ବୋଲି ଭାରତ ଜଣାଇଦେଇଥିଲା ।

ସମ୍ବନ୍ଧିତ ଖବର