ଋଷିଆକୁ ଛାଡିବ ନାହିଁ ଭାରତ, ଆମେରିକାର ବିରୋଧ ସତ୍ତ୍ୱେ ଏସ-୪୦୦ କିଣିବ

ନୂଆଦିଲ୍ଲୀ : ବୋଧହୁଏ ଭାରତ ନିଜର ପୁରୁଣା ବନ୍ଧୁ ଋଷିଆକୁ କୌଣସି ମତେ ତ୍ୟାଗ କରିବାକୁ ଚାହୁଁନାହିଁ । ଆମେରିକା ସହ ସାମରିକ ସହଯୋଗ ଲାଗି ଭାରତକୁ ଋଷକୁ ତ୍ୟାଗ କରିବାକୁ ଟ୍ରମ୍ପ ପ୍ରଶାସନ ଭାରତକୁ କହିଥିଲା । କିନ୍ତୁ ଭାରତ ସାଂକେତିକ ଭାଷାରେ ଜଣାଇ ଦେଇଛି ଯେ ଋଷ ସହିତ ଥିବା ଏହାର ପୁରୁଣା ସଂପର୍କକୁ ଛାଡିବା ସେତେଟା ସହଜ ନୁହେଁ । ସଂକେତଟି ହେଉଛି, ଆମେରିକାର ପ୍ରବଳ ବିରୋଧ ସତ୍ତ୍ୱେ ଋଷିଆଠାରୁ ଏସ-୪୦୦ କିଣିବାକୁ ଭାରତ ନିଷ୍ପତ୍ତି ନେଇଛି ଓ ପ୍ରତିରକ୍ଷା ବିଭାଗ ଏହି ଡିଲର ମଂଜୁରୀ ପାଇଁ ଶୀଘ୍ର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ନିକଟରେ ଆବଦନ କରିପାରେ ।

ଭାରତ ଋଷଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣୁଥିବାରୁ ଆମେରିକା ତାହାକୁ ବିରୋଧ କରୁଛି । ଋଷିଆଠାରୁ ଯଦି ଭାରତ ଏସ-୪୦୦ କିଣିବ ତେବେ ପ୍ରେଡେଟର ଡ୍ରୋନ ମିଳିବ ନାହିଁ ବୋଲି ଆମେରିକା ଧମକ ଦେଇଥିଲା । କିନ୍ତୁ ଯାହା ଜଣାପଡୁଛି ଭାରତ ଆମେରିକାର ଧମକକୁ ଏଡାଇଯାଇଛି । ମିଳିଥିବା ସୂଚନା ମୁତାବକ ଏସ-୪୦୦ ପାଇବା ପାଇଁ ଭାରତ ଓ ଋଷିଆ ମଧ୍ୟରେ ବୁଝାମଣା ଚୂଡାନ୍ତ ହୋଇସାରିଛି । ଏହି ଚୁକ୍ତିରୁ ଓହରିବାକୁ ଭାରତ ଚାହୁଁନାହିଁ । କାରଣ ଏସ-୪୦୦ ହେଉଛି ବିଶ୍ୱରେ ସର୍ବୋତ୍ତମ କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା । ଋଷିଆ ଏବେ ଏସ-୪୦୦କୁ ଚୀନକୁ ବିକିସାରିଛି । ଚୀନ ମାଧ୍ୟମରେ ପାକିସ୍ତାନ ମଧ୍ୟ ଏହାକୁ କିଣିବାକୁ ଇଚ୍ଛୁକ ଅଛି । ଭାରତ ଯଦି ଏହାକୁ ନକିଣେ ଋଷିଆ ନିଶ୍ଚିତଭାବେ ପାକିସ୍ତାନକୁ ବିକିବ ଯାହାକି ଭାରତ ଚାହୁଁନାହିଁ ।

ଏସିଆରେ ଚୀନର ପ୍ରଭାବକୁ ହ୍ରାସ କରିବାକୁ ଆମେରିକା ଭାରତକୁ ନିଜର ସାମରିକ ସହଯୋଗୀ କରିବାକୁ ଚାହୁଁଛି । କିନ୍ତୁ ଆମେରିକାକୁ ସଂପୂର୍ଣ୍ଣ ଭାବେ ବିଶ୍ୱାସ କରି ନିଜର ଭରଷାଯୋଗ୍ୟ ବନ୍ଧୁ ଋଷିଆକୁ ଛାଡିବାକୁ ଚାହୁଁନାହିଁ ଭାରତ । ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ହେବାକୁ ଥିବା ଭାରତ-ଆମେରିକା ୨+୨ ବୈଠକରେ ଭାରତ ତରଫରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷଣା ସ୍ୱାରଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ଆମେରିକୀୟ ପ୍ରତିପକ୍ଷଙ୍କୁ ଭେଟିବେ । ଏହି ବୈଠକରେ ଋଷିଆ ଓ ଭାରତ ସଂପର୍କ କଥା ଉଠାଇପାରେ ଆମେରିକା ।

ସମ୍ବନ୍ଧିତ ଖବର