ଆମେରିକାର ବିରୋଧ ସତ୍ତ୍ୱେ ଭାରତ ଋଷିଆଠାରୁ ଏସ-୪୦୦ କିଣିବ : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ଆମେରିକାର ତୀବ୍ର ବିରୋଧ ସତ୍ତ୍ୱେ ଭାରତ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ଖରିଦ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେ କହିଛନ୍ତି ଯେ ବିଗତ କିଛି ବର୍ଷ ଧରି ଏହି କ୍ରୟ ପାଇଁ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା । ଏଣୁ ଏଥିରୁ ପଛକୁ ଫେରିବାର ପ୍ରଶ୍ନ ହିଁ ଉଠୁନାହିଁ । ନିକଟରେ ଭାରତ ଗ୍ରସ୍ତରେ ଆସିଥିବା ଆମେରିକାର କଂଗ୍ରେସ ପ୍ରତିନିଧିମଣ୍ଡଳକୁ ମଧ୍ୟ ଏ ନେଇ ଅବଗତ କରାଯାଇଛି । ଋଷିଆ ସହ ଭାରତର ଦୀର୍ଘ କାଳରୁ ସାମରିକ ସଂପର୍କ ରହିଆସିଛି । ଏହାକୁ ଭାଙ୍ଗିବା ସହଜ ନୁହେଁ । ଭାରତ ଋଷଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣୁଥିବାରୁ ଆମେରିକା ତାହାକୁ ବିରୋଧ କରୁଛି । ଋଷିଆଠାରୁ ଯଦି ଭାରତ ଏସ-୪୦୦ କିଣିବ ତେବେ ପ୍ରେଡେଟର ଡ୍ରୋନ ମିଳିବ ନାହିଁ ବୋଲି ଆମେରିକା ଧମକ ଦେଇଥିଲା । କିନ୍ତୁ ଯାହା ଜଣାପଡୁଛି ଭାରତ ଆମେରିକାର ଧମକକୁ ଏଡାଇଯାଇଛି । ମିଳିଥିବା ସୂଚନା ମୁତାବକ ଏସ-୪୦୦ ପାଇବା ପାଇଁ ଭାରତ ଓ ଋଷିଆ ମଧ୍ୟରେ ବୁଝାମଣା ଚୂଡାନ୍ତ ହୋଇସାରିଛି । ଏହି ଚୁକ୍ତିରୁ ଓହରିବାକୁ ଭାରତ ଚାହୁଁନାହିଁ । କାରଣ ଏସ-୪୦୦ ହେଉଛି ବିଶ୍ୱରେ ସର୍ବୋତ୍ତମ କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା । ଋଷିଆ ଏବେ ଏସ-୪୦୦କୁ ଚୀନକୁ ବିକିସାରିଛି । ଚୀନ ମାଧ୍ୟମରେ ପାକିସ୍ତାନ ମଧ୍ୟ ଏହାକୁ କିଣିବାକୁ ଇଚ୍ଛୁକ ଅଛି । ଭାରତ ଯଦି ଏହାକୁ ନକିଣେ ଋଷିଆ ନିଶ୍ଚିତଭାବେ ପାକିସ୍ତାନକୁ ବିକିବ ଯାହାକି ଭାରତ ଚାହୁଁନାହିଁ ।

ସମ୍ବନ୍ଧିତ ଖବର