ଆମେରିକା ବୁଦ୍ଧିରେ ପଡି ଋଷିଆକୁ ଛାଡିପାରିବୁ ନାହିଁ : ସୀତାରମଣ

ନୂଆଦିଲ୍ଲୀ : ଆମେରିକା ସହିତ ଭାରତର ସାମରିକ ସଂପର୍କ ବଢିଚାଲିଥିଲେ ମଧ୍ୟ ଋଷିଆକୁ ଭାରତ ଛାଡିପାରିବ ନାହିଁ । ସମ୍ପର୍କ ବୃଦ୍ଧି କରିବା ବାହାନାରେ ଆମେରିକା ଋଷିଆ-ଭାରତ ସଂପର୍କକୁ ପ୍ରଭାବିତ କରିପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଛି । ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଭାରତ ଓ ଋଷିଆର ସମ୍ପର୍କ ବେଶ ଘନିଷ୍ଠ ଓ ପୁରୁଣା । ଏଣୁ ଋଷିଆକୁ ଭାରତ ତ୍ୟାଗ କରିପାରିବ ନାହିଁ । ସେ କହିଛନ୍ତି ଆମେ ଆମେରିକାର କଟକଣା ସତ୍ତ୍ୱେ ଋଷିଆ ସହିତ ସାମରିକ ସଂପର୍କ ରଖିବ । ଭାରତ ଋଷିଆଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବ । ଏହି କଥାବାର୍ତ୍ତା ଏବେ ଚୂଡାନ୍ତ ସ୍ତରରେ ଅଛି । ସୂଚନାଯୋଗ୍ୟ, ଭାରତ ଋଷଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣୁଥିବାରୁ ଆମେରିକା ତାହାକୁ ବିରୋଧ କରୁଛି । ଋଷିଆଠାରୁ ଯଦି ଭାରତ ଏସ-୪୦୦ କିଣିବ ତେବେ ପ୍ରେଡେଟର ଡ୍ରୋନ ମିଳିବ ନାହିଁ ବୋଲି ଆମେରିକା ଧମକ ଦେଇଥିଲା । କିନ୍ତୁ ଯାହା ଜଣାପଡୁଛି ଭାରତ ଆମେରିକାର ଧମକକୁ ଏଡାଇଯାଇଛି । ମିଳିଥିବା ସୂଚନା ମୁତାବକ ଏସ-୪୦୦ ପାଇବା ପାଇଁ ଭାରତ ଓ ଋଷିଆ ମଧ୍ୟରେ ବୁଝାମଣା ଚୂଡାନ୍ତ ହୋଇସାରିଛି । ଏହି ଚୁକ୍ତିରୁ ଓହରିବାକୁ ଭାରତ ଚାହୁଁନାହିଁ । କାରଣ ଏସ-୪୦୦ ହେଉଛି ବିଶ୍ୱରେ ସର୍ବୋତ୍ତମ କ୍ଷେପଣାସ୍ତ୍ର ନିରୋଧୀ ବ୍ୟବସ୍ଥା । ଋଷିଆ ଏବେ ଏସ-୪୦୦କୁ ଚୀନକୁ ବିକିସାରିଛି । ଚୀନ ମାଧ୍ୟମରେ ପାକିସ୍ତାନ ମଧ୍ୟ ଏହାକୁ କିଣିବାକୁ ଇଚ୍ଛୁକ ଅଛି । ଭାରତ ଯଦି ଏହାକୁ ନକିଣେ ଋଷିଆ ନିଶ୍ଚିତଭାବେ ପାକିସ୍ତାନକୁ ବିକିବ ଯାହାକି ଭାରତ ଚାହୁଁନାହିଁ ।

ସମ୍ବନ୍ଧିତ ଖବର