ଲଦାଖରେ ନିର୍ମାଣ ହେବ ୧୫ କିଲୋମିଟର ଲମ୍ବ ସୁଡଙ୍ଗ, ଚୀନ ଓ ପାକିସ୍ତାନ ଉପରେ ନଜର ରଖିବା ସହଜ ହେବ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ଭାରତ ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଲଦାଖରେ ଥିବା ଜୋଜିଲା ପାସ୍‌ ନିକଟରେ ଏକ ସୁଡଙ୍ଗ ନିର୍ମାଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୯ ତାରିଖରେ ଏହି ଟନେଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ୧୪.୨ କିଲୋମିଟର ଏହି ସୁଡଙ୍ଗ ନିର୍ମାଣ ହେଲେ କାଶ୍ମୀରର ବାଲତାଲ ଓ ଲଦାଖର ମୀନାମାର୍ଗ ମଧ୍ୟରେ ସବୁଦିନିଆ ଯୋଗାଯୋଗ ସମ୍ଭବ ହୋଇପାରିବ । ସମୁଦ୍ର ପତ୍ତନଠାରୁ ୧୧ ହଜାର ମିଟର ଉଚ୍ଚରେ ଥିବା ଜୋଜିଲା ପାସ କାରଗିଲ, ଲେହ ଓ ଶ୍ରୀନଗରକୁ ସଂଯୋଗ କରିଥାଏ । କିନ୍ତୁ ଶୀତଋତୁରେ ବରଫ ପଡୁଥିବାରୁ ସଂଯୋଗ ବିଚ୍ଛିନ୍ନ ହୋଇପଡେ । ଏହି ନୂଆ ସୁଡଙ୍ଗ କାର୍ଯ୍ୟକ୍ଷମ ହେଲେ ଏହି ସମସ୍ୟା ଦୂର ହେବ । ଏହା ଦ୍ୱାରା ଚୀନ ଓ ପାକିସ୍ତାନର ପ୍ରଭାବକୁ ମଧ୍ୟ ନିୟନ୍ତ୍ରଣ କରିହେବ । ଲଦାଖରେ ରୋହତଙ୍ଗ ପାସ୍‌ର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଯାଇଛି ।

ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶରେ ସମୁଦ୍ରପତନଠାରୁ ୧୩,୭୦୦ ଫୁଟ ଉଚ୍ଚତାରେ ଏକ ଗୋପନ ଟନେଲ ନିର୍ମାଣ କରୁଛନ୍ତି ସରକାର । ଏହି ଟନେଲଟିର ନାଁ ହେଉଛି ସିଲା ପାସ୍‌ । ଏହାକୁ ଅରୁଣାଚଳପ୍ରଦେଶର ତଓ୍ଵାଙ୍ଗଠାରୁ ପଶ୍ଚିମ କାମେଙ୍ଗ ପର୍ଯ୍ୟନ୍ତ ନିର୍ମାଣ କରାଯିବ । ଏହି ଟନେଲଟିର ଲମ୍ବ ହେବ ପ୍ରାୟ ଦେଢଶହ କିଲୋମିଟର । ଏହା ସମ୍ପୂର୍ଣ୍ଣ ହେଲେ ଭାରତୀୟ ସେନାର ଓଜନିଆ ଯୁଦ୍ଧଯାନ ସହଜରେ ଯାଇପାରିବ ।

ସୂଚନାଯୋଗ୍ୟ ଯେ ସୀମା ସେପଟେ ଚୀନ ପକ୍ଷରୁ ଅନେକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କରାଯାଇଥିବା ବେଳେ ଭାରତ ପଛେଇ ଯାଇଛି । ଫଳରେ ଯୁଦ୍ଧ ହେବା ସ୍ଥିତିରେ ଚୀନ ସେନା ବେଶ ସୁବିଧାରେ ରହିବ । ପରିସ୍ଥିତି ଏପରି ହୋଇଛି ସୀମା ସେପଟେ ଚୀନ ସେନା ଗାଡ଼ିର ଆସୁଥିବାବେଳେ ଭାରତୀୟ ସେନା ଘଣ୍ଟା ଘଣ୍ଟା ଧରି ବା କିଛି ଦିନ ଚାଲିବା ପରେ ଉକ୍ତ ସ୍ଥାନରେ ପହଞ୍ଚୁଛନ୍ତି । ଏଣୁ ସୀମାନ୍ତ ଅଞ୍ଚଳରେ ସଡ଼କ, ଟନେଲ, ପୋଲ ଆଦି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ଵିତ କରିବାକୁ ଭାରତୀୟ ସେନା ଦାବି କରିଆସୁଛି ।

ସମ୍ବନ୍ଧିତ ଖବର