ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀ ନିମନ୍ତେ ଅର୍ଡନାନ୍ସ୍ ଫ୍ୟାକ୍ଟ୍ରି ବୋର୍ଡ ଏବଂ ରୁଷିଆର କାଲାସ୍ନିକୋଭ୍ କନ୍ର୍ସନ୍ର ମିଳିତ ଭାବେ ଅନ୍ୟୂନ ୭. ୪୭ ଲକ୍ଷ କାଲାସ୍ନିକୋଭ୍ ସିରିଜ୍ ଆସଲ୍ଟ୍ ରାଇଫଲ୍ ଉତ୍ପାଦନ କରିବା ନିମନ୍ତେ ହୋଇଥିବା ଏକ ରାଜିନାମାକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ବୁଧବାର ସନ୍ଧ୍ୟାବେଳେ ଅନୁମୋଦନ କରିଛି।
ଏଥିନିମନ୍ତେ ଉତ୍ତର ପ୍ରଦେଶର ଆମେଥି ପାଖରେ କାରଖାନା ତିଆରି କରାଯିବ ବୋଲି ଖବର ମିଳିଛି।
ପରେ ଏହି ସପ୍ତାହ ସୁଦ୍ଧା ଦୁଇ ଦେଶର ସରକାରଙ୍କ ମଧ୍ୟରେ ରାଜିନାମା ସ୍ୱାକ୍ଷର କରାଯିବ ବୋଲି ଜଣାପଡ଼ିଛି।
ଗତ ବର୍ଷ ଅକ୍ଟୋବର ମାସରେ ନୂଆଦିଲ୍ଲୀ ଠାରେ ଭାରତ-ରୁଷ୍ ମଧ୍ୟରେ ଅନୁଷ୍ଠିତ ଶିଖର ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ଗତ ବର୍ଷ ଡିସେମ୍ବର ମାସରେ ସାମରିକ ଏବଂ ସାମରିକ-ବୈଷୟିକ ସହଯୋଗ ନିମନ୍ତେ ରୁଷୀୟ-ଭାରତୀୟ ଇଣ୍ଟର୍ଗଭର୍ଣ୍ଣମେଣ୍ଟାଲ୍ କମିସନ୍ ପ୍ରତିଷ୍ଠା କରିବାକୁ ଉଭୟ ଦେଶ ରାଜି ହୋଇଥିଲେ।
ଏ ସଂକ୍ରାନ୍ତରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ରୁଷୀୟ ପ୍ରତିପକ୍ଷ ସର୍ଗେଇ ଶୋଇଗୁଙ୍କୁ ଭେଟିଥିଲେ।