ଇଣ୍ଡିଆ ଟୁଡେ ସର୍ଭେ:ଏନ୍‌ଡିଏ ଆସନ କମିବ

ନୂଆଦିଇ୍ଲୀ: ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ଅପେକ୍ଷାକୃତ କମ୍‌ ଆସନ ମିଳିବ ବୋଲି ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ଜନମତ ସର୍ଭେରୁ ଜଣାପଡ଼ିଛି। ଟାଇମ୍ସ ନାଓ ଏବଂ ଏବିପି ସର୍ଭେ ମଧ୍ୟ ଅନୁରୂପ ରିପୋର୍ଟ ଦେଇଛନ୍ତି। ତେବେ ଏହା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଠାରୁ ଆଗରେ ରହିବ। କିନ୍ତୁ ଚଳିତ ବର୍ଷ ହେବାକୁ ଥିବା ତିନିଟି ଯାକ ବିଜେପି ଶାସିତ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ ବୋଲି ସର୍ଭେରୁ ଜଣାପଡ଼ିଛି।
ଇଣ୍ଡିଆ ଟୁଡେ-ମୁଡ୍‌ ଅଫ୍‌ ଦି ନେସନ୍‌ ପକ୍ଷରୁ ଯେଉଁ ସର୍ଭେ କରାଯାଇଛି ସେଥିରେ ତିନି ପ୍ରକାର ପୂର୍ବାନୁମାନ କରାଯାଇଛି। ପ୍ରଥମ ପୂର୍ବାନୁମାନରେ କୁହାଯାଇଛି ଯେ ୫୪୩ ସଭ୍ୟ ବିଶିଷ୍ଟ ଲୋକସଭାରେ ଏନଡିଏକୁ ୨୧୮ ଆସନ ମିଳିବ ଏବଂ ଭୋଟ ପ୍ରତିଶତ ରହିବ ୩୬। ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ନମିଶିଲେ ୟୁପିଏକୁ ମିଳିବ ୧୨୨ ଆସନ ଏବଂ ୩୧ ଭାଗ ଭୋଟ୍‌। ଅନ୍ୟମାନଙ୍କୁ ୧୪୦ ଆସନ ଓ ୩୩ ଭାଗ ଭୋଟ୍‌ ମିଳିପାରେ।
ତେବେ ୟୁପିରେ ସମାଜବାଦୀ ପାର୍ଟି, ବିଏସପି ଏବଂ ତୃଣମୂଳ ମିଶିଲେ ୟୁପିଏକୁ ୨୨୪ ଏବଂ ଏନଡିଏକୁ ୨୨୮ଟି ଆସନ ମିଳିବ। ଅନ୍ୟମାନଙ୍କୁ ୯୧ଟି ଆସନ ମିଳିପାରେ। ତୃତୀୟ ପୂର୍ବାନୁମାନ ଅନୁଯାୟୀ ଆନ୍ନାଡିଏମକେ ଏବଂ ଓ୍ଵାଇଏସ୍‌ଆର କଂଗ୍ରେସ ଏନ୍‌ଡିଏରେ ମିଶିଲେ ମେଣ୍ଟ ୨୫୫ଟି ଆସନ ଜିତିବ ଏବଂ ୪୧ ଭାଗ ଭୋଟ୍‌ ମିଳିବ। ସେହିଭଳି ୟୁପିଏକୁ ୨୪୨ ଆସନ ଏବଂ ୪୩ ପ୍ରତିଶତ ଭୋଟ୍‌ ମିଳିବ। ଅନ୍ୟମାନଙ୍କୁ ୪୬ଟି ଆସନ ମିଳିପାରେ। ଏନଡିଏକୁ ବିଜେଡି ଏବଂ ଟିଆରଏସ ସମର୍ଥନ କଲେ ଆସନ ସଂଖ୍ୟା ୨୮୨ ହେବ ବୋଲି ଏଥିରେ କୁହାଯାଇଛି। ଗତ ନିର୍ବାଚନରେ ବିଜେପିକୁ ଏକାକୀ ୨୮୨ ଆସନ ମିଳିଥିଲା। ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ଲୋକପ୍ରିୟ ନରେନ୍ଦ୍ର ମୋଦୀ ଥିବା ସର୍ଭେରେ କୁହାଯାଇଛି। ତାଙ୍କୁ ୪୯ ଭାଗ ଲୋକ ପସନ୍ଦ କରିଥିବା ବେଳେ ୨୭ ଭାଗ ଲୋକ ରାହୁଲ ଗାନ୍ଧୀଙ୍କୁ ପସନ୍ଦ କରିଛନ୍ତି। ମୋଦୀଙ୍କ ବିକଳ୍ପ ରୂପେ ରାହୁଲଙ୍କୁ ୪୬ ଭାଗ, ମମତା ବାନାର୍ଜୀଙ୍କୁ ୮ ଭାଗ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ୬ ଭାଗ ଲୋକ ପସନ୍ଦ କରିଥିବା ଜଣାପଡ଼ିଛି।
ସେହିଭଳି ଏବିପି ସର୍ଭେରେ ପୂର୍ବାନୁମାନ କରାଯାଇଛି ଯେ ଚଳିତ ବର୍ଷ ହେବାକୁ ଥିବା ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ନିର୍ବାଚନରେ ବିଜେପି ପରାଜିତ ହେବ। ଏଠାରେ କଂଗ୍ରେସ କ୍ଷମତାକୁ ଆସିପାରେ।

ସମ୍ବନ୍ଧିତ ଖବର