ଇଣ୍ଡିଆ ଟିଭି-ସିଏନ୍‌ଏକ୍ସ ସର୍ଭେ : ବହୁମତ ପାଇବନି ଏନ୍‌ଡିଏ

ନୂଆଦିଲ୍ଲୀ : ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦେଶରେ ରାଜନୈତିକ ପାଣିପାଗରେ ପରିବର୍ତ୍ତନ ଆସିଛି। ବିଜେପି ଓ ମୋଦୀ ବ୍ରାଣ୍ଡ୍‌କୁ ନେଇ ‌ଯେଉଁ ହାୱା ଉଠୁଥିଲା ତାହା ବି ବଦଳିଯାଇଛି। କେବଳ ବିଜେପି କାହିଁକି, ଏନ୍‌ଡିଏ ସହଯୋଗୀ ଦଳଗୁଡ଼ିକର ଯେଉଁ ଭାଉ ଥିଲା, ତାହା ମଧ୍ୟ ଶିଥିଳ ପଡ଼ିଥିବା କୁହାଯାଉଛି। ସଦ୍ୟତମ ଇଣ୍ଡିଆ ଟିଭି-ଆଇଏନ୍‌ଏକ୍ସ ସର୍ଭେ ରିପୋର୍ଟରେ ଏହି ଚିତ୍ର ପ୍ରତିଫଳିତ ହୋଇଛି। ରିପୋର୍ଟ ଦର୍ଶାଇଛି ଯେ ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ଲୋକସଭାରେ ବହୁମତ (୨୭୨) ପାଇପାରିବ ନାହିଁ। ବହୁମତଠାରୁ ଏହା ୧୫ଟି ଆସନ ପଛରେ ପଡ଼ିଯିବ। ଫଳରେ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକ ଉପରେ ଏହାକୁ ନିର୍ଭର କରିବାକୁ ପଡ଼ିବ। କ୍ଷୁଦ୍ର ଆଞ୍ଚଳିକ ଦଳଗୁଡ଼ିକ ଯଦି ସମର୍ଥନ ଦିଅନ୍ତି, ତେବେ କେନ୍ଦ୍ରରେ ପୁଣି ଏନ୍‌ଡିଏ ଫେରିପାରିବ। ଅନ୍ୟଥା ପରିସ୍ଥିତି ଭିନ୍ନ ହେବ।

ଅପରପକ୍ଷରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ଲାଭରେ ରହିବ। ୟୁପିଏ ସାଧାରଣ ନିର୍ବାଚନରେ ୧୪୬ ଆସନ ହାସଲ କରିବ।

୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୫୪୩ ସଦସ୍ୟ ବିଶିଷ୍ଟ ଲୋକସଭାରେ ଏକାକୀ ୨୮୨ ଆସନରେ ବିଜୟୀ ହୋଇଥିଲା ବେଳେ ଏନ୍‌ଡିଏ ମୋଟ ୩୩୬ଟି ଆସନ ହାସଲ କରିଥିଲା। କିନ୍ତୁ କଂଗ୍ରେସ ଭାଗରେ ୪୪ ଆସନ ପଡ଼ିଥିଲା ବେଳେ ୟୁପିଏ ଅଙ୍କ ୬୦ ଛୁଇଁଥିଲା। ଇଣ୍ଡିଆ ଟିଭି-ଆଇଏନ୍‌ଏକ୍ସ ସର୍ଭେରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନ ଯଦି ଦେଶରେ ସାଧାରଣ ନିର୍ବାଚନ ହୁଏ, ତେବେ ଏନ୍‌ଡିଏ କ୍ଷମତାକୁ ଫେରିପାରିବ ନାହିଁ। କାରଣ ଏନ୍‌ଡିଏର ବିଜେପି ଓ ଅନ୍ୟ ସହଯୋଗୀ ଦଳଗୁଡ଼ିକ ଯେତେ ଚେଷ୍ଟା କଲେ ବି ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ୱର ୨୭୨କୁ ଛୁଇଁପାରିବେ ନାହିଁ। ବହୁମତ ହାସଲ ପାଇଁ ଏମାନଙ୍କୁ ୧୫ ଲୋକସଭା ସାଂସଦଙ୍କ ସମର୍ଥନ ପାଇଁ ହାସଲ କରିବାକୁ ପଡ଼ିବ। ଏନ୍‌ଡିଏ ୨୫୭ ଆସନରେ ସୀମିତ ରହିବ ବୋଲି ରିପୋର୍ଟ ସୂଚାଇଛି।

ଗତମାସ ୧୫ରୁ ୨୫ ତାରିଖ ମଧ୍ୟରେ ହୋଇଥିବା ଏହି ଜନମତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ଏନ୍‌ଡିଏ ଏବଂ ୟୁପିଏକୁ ଛାଡ଼ି ‘ଅନ୍ୟ’ ଦଳଗୁଡ଼ିକ ସରକାର ଗଠନ କ୍ଷେତ୍ରେର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବେ। ଏମାନଙ୍କ ଭାଗରେ ୧୪୦ ଆସନ ପଡ଼ିବ। ଏହି ‘ଅନ୍ୟ’ ଦଳ ମଧ୍ୟରେ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ଏଆଇଏଡିଏମ୍‌କେ, ଟିଏମ୍‌ସି, ତେଲେଙ୍ଗାନା ରାଷ୍ଟ୍ର ସମିତି, ବିଜୁ ଜନତା ଦଳ, ୱାଇଏସ୍ଆର୍ କଂଗ୍ରେସ, ବାମ ଦଳ, ପିଡିପି, ଏଆଇୟୁଡିଏଫ୍, ଅସଦୁଦ୍ଦିନ୍ ଅୱେସିଙ୍କ ଏଆଇଏମ୍ଆଇଏମ୍, ଆଇଏନ୍ଏଲ୍‌ଡି, ଆମ୍ ଆଦ୍‌ମି ପାର୍ଟି, ଜେଭିଏମ୍(ପି) ଏବଂ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି।

ଗତବର୍ଷ ନଭେମ୍ୱରରେ ମଧ୍ୟ ଇଣ୍ଡିଆ ଟିଭି-ସିଏନ୍ଏକ୍ସ ପକ୍ଷରୁ ଅନୁରୂପ ଭାବେ ଏଭଳି ଏକ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ ବିଧାନସଭା ନିର୍ବାଚନ ପରେ ଏହାକୁ ପରିବର୍ତ୍ତନ କରାଯାଇଛି। ପୂର୍ବ ରିପୋର୍ଟରେ ଏନ୍‌ଡିଏ ୨୮୧ ଆସନ ପାଇ ପୂର୍ଣ୍ଣ ବହୁମତ ହାସଲ କରିବ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ୟୁପିଏ ୧୨୪ ଓ ‘ଅନ୍ୟ’ମାନେ ୧୩୮ ପାଇବେ ବୋଲି କୁହାଯାଇଥିଲା। କିନ୍ତୁ ଏବେ ଏନ୍‌ଡିଏର ୨୪ ଆସନ କମିଥିବା ବେଳେ ୟୁପିଏ ୨୨ ଆସନ ଅଧିକ ପାଇବ ବୋଲି କୁହାଯାଇଛି।

ରିପୋର୍ଟ ଆହୁରି ଦର୍ଶାଇଛି ଯେ ଏନ୍‌ଡିଏ ୩୭.୧୫ ପ୍ରତିଶତ ଭୋଟ୍‌ ପାଇବାକୁ ଥିବା ବେଳେ ୟୁପିଏ ୨୯.୯୨ ପ୍ରତିଶତ ଓ ଅନ୍ୟମାନେ ୩୨.୯୩ ପ୍ରତିଶତ ପାଇବେ। ଏନ୍‌ଡିଏ ମଧ୍ୟରେ ବିଜେପି ୨୨୩ ଆସନ ପାଇବାକୁ ଥିବା ବେଳେ ଶିବସେନା ୮, ଜେଡିୟୁ ୧୧, ଅକାଳି ଦଳ ୫, ଏଲ୍‌ଜେପି ୩ ଆସନ ପାଇବେ। ଅନ୍ୟପକ୍ଷର‌େ ୟୁପିଏରେ କଂଗ୍ରେସ ୮୫ (୨୦୧୪ ତୁଳନାରେ ପ୍ରାୟ ଦୁଇଗୁଣ) ଆସନ ପାଇବାକୁ ଥିବା ବେଳେ ଡିଏମ୍‌କେ ୨୧, ଆର୍‌ଜେଡି ୧୦, ଏନ୍‌ସିପି ୯, ଜେଏମ୍‌ଏମ୍‌ ୪, ଜେଡିଏସ୍‌ ୪, ଆର୍‌ଏଲ୍‌ଡି ୨, ଆର୍‌ଏଲ୍‌ଏସ୍‌ପି ୧, ଏନ୍‌ସି ୨ ଆସନ ହାସଲ କରିବେ।

ସେପଟେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୨୬, ସମାଜବାଦୀ ପାର୍ଟି ୨୦, ବିଏସ୍‌ପି ୧୫, ୱାଇଏସ୍‌ଆର୍‌ କଂଗ୍ରେସ ୧୯, ଟିଆର୍‌ଏସ୍‌ ୧୬, ବିଜୁ ଜନତା ଦଳ ୧୩ ଆସନ ପାଇବ। ଏଆଇଏଡିଏମ୍‌କେ ୧୦, ଏଏମ୍‌ଏମ୍‌କେ ୪, ବାମଦଳ ୮ ଏବଂ ଆମ୍‌ ଆଦ୍‌ମି ପାର୍ଟି ୨ଟି ଲୋକସଭା ଆସନ ପାଇବ ବୋଲି ରିପୋର୍ଟ ଦର୍ଶାଇଛି।

ସମ୍ବନ୍ଧିତ ଖବର