ଇରାନର ଚାବାହାର ବନ୍ଦର ଉପରେ କଟକଣା ନ ଲଗାଇବାକୁ ଆମେରିକାକୁ ଭାରତର ଅନୁରୋଧ
ନୂଆଦିଲ୍ଲୀ ଉପସାଗରୀୟ ଅଞ୍ଚଳରେ ଚାଲିଥିବା ଉତ୍ତେଜନା କିଛିଟା ହ୍ରାସ ପାଇଥିଲେ ମଧ୍ୟ ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଆଉ କେତେକ କଟକଣା ଲଗାଇଛି । ଏହି କଟକଣା ଫଳରେ ଇରାନ ସହିତ ବାଣିଜ୍ୟ କାରବାର ଓ ଟେକନଲୋଜୀ ହସ୍ତାନ୍ତର ଅଧିକ କଷ୍ଟକର ହୋଇଯିବ । ଏହାକୁ ନେଇ ଭାରତ ଚିନ୍ତିତ ହୋଇପଡ଼ିଛି । କାରଣ ଇରାନର ଚାବାହାର ବନ୍ଦରକୁ ଭାରତ ନିର୍ମାଣ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବଥର ଭଳି ଏଥର ମଧ୍ୟ ଚାବାହାର ବନ୍ଦରକୁ ଭାରତ ଏହି କଟକଣାରୁ ମୁକ୍ତ ରଖିବ ବୋଲି ଭାରତ ଆଶା ପ୍ରକାଶ କରିଛି । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଚାବାହାର ବନ୍ଦରର ଗୁରୁତ୍ୱକୁ ବୁଝି ଆମେରିକା ପୁଣି ଥରେ ଏହାକୁ କଟକଣାରୁ ମୁକ୍ତ ରଖିବ ।
ସୂଚନାଯୋଗ୍ୟ ଯେ ଭାରତ ଚାବାହାର ବନ୍ଦରରେ ଶହ ଶହ କୋଟି ଟଙ୍କା ନିବେଶ କରିଛି । ଭାରତ ସରକାରଙ୍କ ଦ୍ୱାରା ଗଠିତ ଇଣ୍ଡିଆ ପୋର୍ଟ୍ସ ଗ୍ଲୋବାଲ ଲିମିଟେଡ (ଆଇପିଜିଏଲ) ଗତବର୍ଷ ଏହି ବନ୍ଦରର ପରିଚାଳନା ଦାୟିତ୍ୱ ଗ୍ରହଣ କରଥିଲା । ଏହି ବନ୍ଦର ଦ୍ୱାରା କେବଳ ଭାରତ, ଇରାନ ନୁହେଁ ଆଫଗାନିସ୍ତାନ ମଧ୍ୟ ବିଶେଷଭାବେ ଉପକୃତ ହେବ । ଏହି ବନ୍ଦର ହେଲେ ଭାରତ ଆଫଗାନିସ୍ତାନ ଓ କେନ୍ଦ୍ର ଏସିଆରେ ସିଧାସଳଖ ପହଞ୍ଚିପାରିବ । ଇରାନରୁ ତୈଳ ଆମଦାନୀ ମଧ୍ୟ ସହଜ ହେବ । ଆଫଗାନିସ୍ତାନ ରପ୍ତାନି ଆମଦାନୀ ପାଇଁ ସବୁବେଳେ ପାକିସ୍ତାନ ଉପରେ ନିର୍ଭର କରୁଥିଲା । କିନ୍ତୁ ଏବେ ଆଉ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହା ଫଳରେ ଆତଙ୍କବାଦ ବିରୋଧୀ ଲଢେଇରେ ଏହି ତିନି ଦେଶ ଏକାଠି ହୋଇପାରିବେ ।