ନୁଆଦିଲ୍ଲୀ : ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି ଆଜି ଭାରତ ବିରୋଧରେ ବର୍ଷିଛନ୍ତି। ଚୀନ୍ ଓ ଇଟାଲି ଅପେକ୍ଷା ଭାରତର ଭୂତାଣୁ ଅତି ମାରାତ୍ମକ ଲାଗୁଛି ବୋଲି କେପି ଓଲି ସଂସଦରେ ଭାଷଣ ଦେଇ କହିଛନ୍ତି। ନେପାଳରେ କରୋନା ବ୍ୟାପିବାପାଇଁ ଓଲି ଭାରତକୁ ଦାୟୀ କରିଛନ୍ତି। ଓଲି କହିଛନ୍ତି, ଯେଉଁମାନେ ବେଆଇନ ଭାବେ ଭାରତରୁ ଆସିଛନ୍ତି ସେମାନେ ଦେଶରେ କରୋନା ସଂକ୍ରମଣ ବଢ଼ାଇଛନ୍ତି। କିଛି ସ୍ଥାନୀୟ ପ୍ରତିନିଧି ଏବଂ ଦଳୀୟ ନେତା ଅଧିକାଂଶ ଲୋକଙ୍କୁ ବିନା ଟେଷ୍ଟିଂରେ ଦେଶକୁ ଆଣିଥିବାରୁ ସେମାନେ ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଭାରତ ଦ୍ବାରା ଏକ ନୂଆ ରାସ୍ତା ଉଦ୍ଘାଟନ ହେବାଦ୍ବାରା ଏହାକୁ ନେଇ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ବଢ଼ିଛି।
ଉତ୍ତରାଖଣ୍ଡର ଲିପୁଲେଖ ପାସ୍କୁ ଚୀନ୍ର କୈଳାସ ମାନସରୋବର ରୁଟ୍କୁ ସଂଯୋଗ କରୁଥିବା ଏକ ନୂଆ ରାସ୍ତାକୁ ଗତ ୮ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦ୍ଘାଟନ କରିଥିଲେ। ତେବେ ନେପାଳ ଏହାର ବିରୋଧ କରିଥିଲା । ଏଠାରେ ସୁରକ୍ଷା ପୋଷ୍ଟ୍ ରଖିବା ପାଇଁ ମଧ୍ୟ ନେପାଳ ବିଚାରବିମର୍ଶ କରିଛି। ଅନ୍ୟପକ୍ଷେ ଓଲି କହିଛନ୍ତି ଯେ, ଏବେ ଭାରତର ଅଂଶ ଥିବା କଳାପାଣୀ-ଲିମ୍ପିୟାଧୁରା- ଲିପୁଲେଖ ଅଞ୍ଚଳକୁ ନେପାଳ ଯେକୌଣସି ଉପାୟରେ ଫେରାଇ ଆଣିବ।