ଦିନକୁ ଦିନ ଖରାପ ହେଉଛି ଭାରତ-ମାଳଦ୍ୱୀପ ସଂପର୍କ, ଜାତିସଂଘରେ ମାଳଦ୍ୱୀପ ବିପକ୍ଷରେ ଭୋଟ ଦେଲା ଭାରତ

ନୂଆଦିଲ୍ଲୀ : ଭାରତ ଓ ଭାରତ ମହାସାଗରରେ ଥିବା କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପ ମଧ୍ୟରେ ସଂପର୍କ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ନିକଟରେ ଜାତିସଂଘର ଏକ ଅସ୍ଥାୟୀ ସଦସ୍ୟ ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଭାରତ ମାଳଦ୍ୱୀପ ବିପକ୍ଷରେ ଓ ଇଣ୍ଡୋନେସିଆ ସପକ୍ଷରେ ଭୋଟ ଦେଇଛି । ଏହି ଭୋଟରେ ମାଳଦଦ୍ୱୀପ ଶୋଚନୀୟ ଭାବେ ୧୪୪-୪୬ ଭୋଟ ବ୍ୟବଧାନରେ ହାରିଛି ।
ଗତ ଫେବ୍ରୁଆରୀ ମାସରେ ମାଳଦ୍ୱୀପରେ ରାଷ୍ଟ୍ରପତି ଅବଦୁଲ୍ଲା ୟମିନ ଜରୁରୀ ପରିସ୍ଥିତି ଲାଗୁ କରିବା ପରେ ସବୁ କ୍ଷମତା ନିଜ ହାତକୁ ନେଇଯାଇଥିଲେ । ସେବେଠାରୁ ମାଳଦ୍ୱୀପରେ ଏକ ପ୍ରକାରର ଏକଛତ୍ରବାଦୀ ଶାସନ ଚାଲିଛି । ସେଠାକାର ସରକାର ଭାରତ ସହିତ ଶତ୍ରୁତାପୂର୍ଣ୍ଣ ଆଚରଣ କରିବା ଆରମ୍ଭ କରିଦେଇଛନ୍ତି । ଭାରତ ବଦଳରେ ପାକିସ୍ତାନ, ସାଉଦିଆରବ ଓ ଚୀନକୁ ଏହି ଦେଶ ନିଜର ବନ୍ଧୁରାଷ୍ଟ୍ରବୋଲି ଘୋଷଣା କରିଛି । ଅନ୍ୟପକ୍ଷରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସାମରିକ ସହଯୋଗ ବଢିଚାଲିଛି । ଇଣ୍ଡୋନେସିଆରେ ଏକ ସାମରିକ ଘାଟି ପ୍ରତିଷ୍ଠା ପାଇଁ ଭାରତ ଉଦ୍ୟମ କରୁଛି । ଅନ୍ତର୍ଜାତୀୟ କୂଟନୀତି କ୍ଷେତ୍ରରେ ମଧ୍ୟରେ ଇଣ୍ଡୋନେସିଆ ଭାରତକୁ ସମର୍ଥନ କରିଆସୁଛି । ଅନ୍ୟପକ୍ଷରେ ଭାରତ ଇଣ୍ଡୋନେସିଆକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଅବ୍ୟାହତ ରଖିଛି ।

ସମ୍ବନ୍ଧିତ ଖବର