ଭାରତର ଯେସାକୁ ତେସା ନୀତି : ଜାତିସଂଘ ସୁରକ୍ଷା ପରିଷଦ ଅସ୍ଥାୟୀ ସଦସ୍ୟତା ଲାଗି ମାଳଦ୍ୱୀପ ବିରୋଧରେ ଭୋଟ ଦେଲା

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ଲାଗି ହୋଇଥିବା ନିର୍ବାଚନରେ ଭାରତ ମାଳଦ୍ୱୀପ୍‌ ବିରୋଧରେ ଭୋଟ ଦେବା ସହ ପ୍ରତିଦ୍ୱନ୍ଦ୍ୱୀ ଇଣ୍ଡୋନେସିଆର ବିଜୟ ଲାଗି ଉଦ୍ୟମ ମଧ୍ୟ କରିଛି। ମାଳଦ୍ୱୀପର ଭାରତ- ବିରୋଧୀ ଆଭିମୁଖ୍ୟର କଡ଼ା ଜବାବରେ ଭାରତ ଏହି କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି। ଭାରତ ମହାସାଗର ଅଞ୍ଚଳରେ ଭାରତର ସୁରକ୍ଷା ସମ୍ବନ୍ଧୀୟ ସ୍ୱାର୍ଥକୁ ମାଳଦ୍ୱୀପ ଅଣଦେଖା କରିବା ଆରମ୍ଭ କରିଛି। ଚୀନର ଇଙ୍ଗିତରେ ମାଳଦ୍ୱୀପ ଭାରତ ପକ୍ଷରୁ ଯୋଗାଇ ଦିଆଯାଇଥିବା ହେଲିକପ୍ଟର ଫେରାଇ ଦେବାକୁ କହିଥିଲା। ଏଥିସହ କିଛି ଦିନ ପୂର୍ବରୁ ୨,୦୦୦ ଭାରତୀୟଙ୍କୁ ଓ୍ଵାର୍କ-ପରମିଟ୍‌ ଦେବାକୁ ମନା କରିଥିଲା। ଏଭଳି ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ଲାଗି ନୀତିଗତ ଭାବେ ଇଣ୍ଡୋନେସିଆକୁ ସମର୍ଥନ କରିଛି। ଯାହା ଫଳରେ ମାଳଦ୍ୱୀପକୁ ମାତ୍ର ୪୬ଟି ଭୋଟ ମିଳିଥିବା ବେଳେ ଇଣ୍ଡୋନେସିଆ ପାଇଛି ୧୪୪ଟି ଭୋଟ୍‌।

ଉଲ୍ଲେଖଯୋଗ୍ୟ କି, ମାଳଦ୍ୱୀପ ଏଥିଲାଗି ଭାରତର ସହଯୋଗ ଲୋଡ଼ିଥିଲା। କିନ୍ତୁ ରାଷ୍ଟ୍ରପତି ଅବଦ୍ଦୁଲା ୟମିନ୍‌ ଭାରତ ମହାସାଗରୀୟ ଅଞ୍ଚଳରେ ଭାରତର ପ୍ରତିରକ୍ଷା ସ୍ୱାର୍ଥ ପ୍ରତି ନକରାତ୍ମକ ଦୃଷ୍ଟିଭଙ୍ଗୀ ପୋଷଣ କରୁଥିବାରୁ ଭାରତ ଯେସାକୁ ତେସା ନୀତି ଅବଲମ୍ବନ କରିଛି।

ସମ୍ବନ୍ଧିତ ଖବର