ମୁମ୍ବାଇର ବାଇକୁଲ୍ଲା ଚିଡ଼ିଆଖାନାରେ ପେଙ୍ଗୁଇନ୍‌ ଛୁଆ ଜନ୍ମ

ମୁମ୍ବାଇ: ବୁଧବାର ସ୍ୱାଧୀନତା ଦିବସ ରାତିରେ ମୁମ୍ବାଇର ବାଇକୁଲ୍ଲା ଚିଡ଼ିଆଖାନାରେ ପ୍ରଥମ ଥର ଲାଗି ‘ହମ୍‌ବୋଲଟ୍‌’ ପେଙ୍ଗୁଇନ୍‌ ଜନ୍ମ ହୋଇଛି। ରାତି ୮. ୦୩ ମିନିଟ୍‌ରେ ଅଣ୍ଡା ଫୁଟିବା ପରେ ପେଙ୍ଗୁଇନ୍‌ ଦମ୍ପତି ମିଷ୍ଟର୍‌ ବୋଲ୍‌ଟ୍‌ ଏବଂ ଫ୍ଲିପର୍‌ ପିତାମାତା ହୋଇଛନ୍ତି ବୋଲି ବୀରମାତା ଜିଜାବାଈ ଭୋସ୍‌ଲେ ଉଦ୍ୟାନ ଏବଂ ଚିଡ଼ିଆଖାନାର ନିର୍ଦେଶକ ଡକ୍ଟର୍‌ ସଞ୍ଜୟ ତ୍ରିପାଠୀ କହିଛନ୍ତି।

ଶିବ ସେନା ଯୁବନେତା ଆଦିତ୍ୟ ଥାକ୍‌ରେ ନବଜାତ ପେଙ୍ଗୁଇନ୍‌ର ଏକ ଭିଡିଓ ମଧ୍ୟ ଟୁଇଟ୍‌ କରିଛନ୍ତି।

ପ୍ରାୟ ୪୦ ଦିନ ତଳେ, ଜୁଲାଇ ୫ ତାରିଖରେ ମାଆ ପେଙ୍ଗୁଇନ୍‌ ସାଢ଼େ ୪ ବର୍ଷୀୟ ଫ୍ଲିପର୍‌ ଗୋଟିଏ ଅଣ୍ଡା ଦେଇଥିଲା।

ଜୁଲାଇ ୫ ତାରିଖ ଦିନ ପେଙ୍ଗୁଇନ୍‌ ତତ୍ତ୍ୱାବଧାରକ ଜାଣିବାକୁ ପାଇଥିଲେ ଯେ ପେଙ୍ଗୁଇନ୍‌ ଦମ୍ପତି ମୋଲ୍‌ଟି ଏବଂ ଫ୍ଲିପର୍‌ ଦୀର୍ଘ ଦିନର ମିଳନ ପରେ ବସାରେ ଗୋଟିଏ ମାତ୍ର ଅଣ୍ଡା ଦେଇଛନ୍ତି।

ପ୍ରଥମ ଥର ପିତାମାତା ହୋଇଥିଲେ ବି ଫ୍ଲିପର୍‌ ଏବଂ ମୋଲ୍‌ଟ୍‌ ଅଣ୍ଡାର ଭଲ ଦେଖାରଖା କରିଥିଲେ। ଅଣ୍ଡା ଉଷୁମାଇବାକୁ ଫ୍ଲିପର୍‌ ଥରକେ ୩୬ ରୁ ୪୮ ଘଣ୍ଟା ବସୁଥିଲା। ମଝିରେ ମଝିରେ ୩ ବର୍ଷିୟ ମୋଲ୍‌ଟ୍‌ ମଧ୍ୟ ଅଣ୍ଡା ଉଷୁମାଇବାକୁ ବସୁଥିଲା।

ନବଜାତ ପେଙ୍ଗୁଇନ୍‌ ଛୁଆଟିର ସ୍ୱାସ୍ଥ୍ୟ ଭଲ ଅଛି ତାକୁ ଚିଡ଼ିଆଖାନା କର୍ତ୍ତୃପକ୍ଷମାନେ ୧୨ ଘଣ୍ଟା ଅବ୍‌ଜର୍‌ଭେସନ୍‌ରେ ରଖିଛନ୍ତି। ଡିଏନ୍‌ଏ ପରୀକ୍ଷା ଦ୍ୱାରା ତା’ର ଲିଙ୍ଗ ପରୀକ୍ଷା କରାଯିବ।

୨୦୧୬ ମସିହା ଜୁଲାଇ ୨୬ ତାରିଖ ଦିନ ଦକ୍ଷିଣ କୋରିଆର ସିଓଲସ୍ଥିତ କୋଏକ୍ସ ଆକ୍ୱେଇୟମ୍‌ରୁ ମୁମ୍ବାଇ ଚିଡ଼ିଆଖାନାକୁ ତିନୋଟି ଅଣ୍ଡିରା ଓ ଦୁଇଟି ମାଈ ପେଙ୍ଗୁଇନ୍‌ ଅଣାଯାଇଥିଲା। ସେବେଠାରୁ ସେମାନଙ୍କୁ ୧୬-୧୮ ଡିଗ୍ରି ସେଲିସିୟସ୍‌ ତାପମାତ୍ରାରେ ରଖାଯାଇଛି।

ସମ୍ବନ୍ଧିତ ଖବର