ଏସିଆ କପ୍‌ ଫାଇନାଲ୍‌ରେ ଭାରତ-ବାଂଲା ଫାଇନାଲ୍: ପାକିସ୍ତାନ ବିଦା

ଆବୁଧାବି: ଏସିଆ କପ୍‌ର ଫାଇନାଲ୍‌ରେ ଶୁକ୍ରବାର ଭାରତ ପୁଣି ଥରେ ଭେଟିବ ବାଂଲାଦେଶକୁ। ବୁଧବାର ‌େଶଷ ସୁପର୍-୪ ମ୍ୟାଚ୍‌ରେ ପାକିସ୍ତାନକୁ ୩୭ ରନ୍‌ରେ ହରାଇ ବାଂଲାଦେଶ ଫାଇନାଲ୍ ପହଞ୍ଚିଯାଇଛି। ଗତ ଥର ମଧ୍ୟ ଭାରତ ଓ ବାଂଲାଦେଶ ଫାଇନାଲ୍ ଖେଳିଥିଲେ। ଟ୍ବେଣ୍ଟି-୨୦ ଫର୍ମାଟ୍‌‌ରେ ଖେଳାଯାଇଥିବା ଏହି ସଂସ୍କରଣରେ ଭାରତ ବ‌ିଜେତା ହେ‌ାଇଥିଲା। ଭାରତ ସପ୍ତମ ଥର ଟ୍ରଫି ବିଜୟ ଲକ୍ଷ୍ୟରେ ରହିବ। ତୃତୀୟ ଥର ଫାଇନାଲ୍ ଉଠିଥିବା ବାଂଲାଦେଶ ଭାରତ ଠାରୁ ପ୍ରତିଶୋଧ ନେଇ ପ୍ରଥମ ଥର ବିଜେତା ହେବା ଲକ୍ଷ୍ୟରେ ରହିବ।

ଆବୁଧାବିରେ ବୁଧବାର ରାତିରେ ୨୪୦ ରନ୍‌କୁ ପଶ୍ଚାତଧାବନ କରିଥିବା ପାକିସ୍ତାନ ୧୮ ରନ୍‌ରେ ୩ ୱିକେଟ୍ ହରାଇ ଦେଇଥିଲା। ମେହିଦି ହାସନ୍ ମିରାଜଙ୍କ ସ୍ପିନ୍‌ରୁ ବାଂଲା ଆକ୍ରମଣ ଆରମ୍ଭ କରି ସଫଳ ହୋଇଥିଲା। ପଞ୍ଚମ ବଲ୍‌ରେ ଜମାନ୍ (୧) ଆଉଟ୍ ‌ହୋଇଯିବା ପରେ ବାବର ଆଜମ୍ (୧)ଙ୍କୁ ମୁସ୍ତାଫିଜୁର ଆଉଟ୍ କରି ଦେଇଥି‌େଲ। ବ୍ୟାଟିଂ କ୍ରମରେ ଆଗୁଆ ଆସିଥିବା ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ମୁସ୍ତାଫିଜୁର ଦ୍ବିତୀୟ ଶିକାର କରିଥିଲେ। ଏତିକି ବେଳେ ସୋଏବ ମଲ୍ଲିକ (୩୦, ୫୧ ବଲ୍‌, ୨ ଚୌକା) ଏବଂ ଇମାମ୍ ଉଲ୍ ହକ୍ (୮୩, ୧୦୫ ବଲ୍‌, ୨ ଚୌକା, ୧ ଛକା) ଲଢ଼ିଥିଲେ। ଇମାମ୍ ଉଲ୍ ହକ୍ ଶେଷ ପର୍ଯ୍ୟନ୍ତ ରହିଥିଲେ। ୪୦ ଓ ୪୧ତମ ଓଭରରେ ଅସିଫ୍ ଅଲୀ (୩୧, ୪୭ ବଲ୍‌) ଏବଂ ଇମାମ୍୍‌ ଷ୍ଟମ୍ପିଂ ହୋଇଯିବା ପରେ ବାଂଲାଦେଶ ପଟକୁ ମ୍ୟାଚ୍ ଢ଼ଳିଥିଲା। ମୁସ୍ତାଫିଜୁର (୪/୪୩) ପାକିସ୍ତାନର ସର୍ବାଧିକ କ୍ଷତି ଘଟାଇ ଦଳକୁ ଲଗାତାର ବିଜୟ ଦେଇ ଟ୍ରଫି ଲଢ଼େଇରେ ପହଞ୍ଚାଇଥିଲେ। ମୁସ୍‌ଫିକର କିନ୍ତୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ପଞ୍ଚମ ଓଭର ବେଳକୁ ୧୨ ରନ୍‌ରେ ୩ ୱିକେଟ୍ ହରାଇ ସଂଘର୍ଷ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଲିଟନ୍ ଦାସ (୬), ସୌମ୍ୟ ସରକାର (୦)ଙ୍କୁ ଦଳକୁ ଫେରିଥିବା ବାମହାତୀ ଦ୍ରୁତ ବୋଲର ଜୁନୈଦ ଖାନ୍ ପ୍ୟାଭିଲିଅନ୍ ଫେରାଇ ଆତଙ୍କ ଖେଳାଇଥିଲେ। ମୋମିନୁଲ୍ ହକ୍ (୫)ଙ୍କୁ ଯୁବ ଦ୍ରୁତ ବୋଲର ସାହିନ୍ ସାହା ଆଫ୍ରିଦି ବୋଲ୍ଡ କରି ଦେଇଥିଲେ। ଏହି ସମୟରେ ମଝି ପଡ଼ିଆରେ ଏକାଠି ହୋଇଥିବା ୱିକେଟରକ୍ଷକ ମୁସଫିକର୍ ରହିମ୍ ଏବଂ ମହମ୍ମଦ ମିଥୁନ୍ କିନ୍ତୁ ଶତକୀୟ ଭାଗୀଦାରି କରି ବାଂଲାଦେଶ ପାଇଁ ବଡ଼ ସ୍କୋର୍ ସ‌ୁଯୋଗ ଆଣିଥିଲେ। ୨୯.୨ ଓଭରରେ ସେମାନେ ୧୪୪ ରନ୍ ଯୋଡ଼ି ପାକିସ୍ତାନକୁ ଧମକାଇଥିଲେ। ମିଥୁନ୍ (୬୦, ୮୪ ବଲ୍, ୪‌ ଚୌକା)ଙ୍କୁ ହାସନ୍ ଅଲୀ ନିଜ‌ ବୋଲିଂରେ କ୍ୟାଚ୍ ନେଇ ଆଉଟ୍ କରିବା ସହ ଏହି ଭାଗୀଦାରିକୁ ଅଲଗା କରି ଦେଇଥିଲେ। ରହିମ୍ କିନ୍ତୁ ଦାୟିତ୍ବପୂର୍ଣ୍ଣ ବ୍ୟାଟିଂ କରିଥିଲେ। ୪୨ତମ ଓଭରରେ କିନ୍ତୁ ସାହିନ ତାଙ୍କୁ କଟ୍ ବିହାଇଣ୍ଡ୍ କରାଇ ମାତ୍ର ୧ ରନ୍ ପାଇଁ ଶତକରୁ ବଞ୍ଚିତ ରଖିଥିଲେ। ରହିମ୍ ୧୧୬ ବଲ୍‌ ଖେଳି ୯ ଚୌକା ସହାୟତାରେ ୯୯ ରନ୍ କରିଥିଲେ। ପ୍ରଥମ ବାଂଲାଦେଶୀ ଭାବେ ୯୯ ରନ୍‌ରେ ଆଉଟ୍ ହୋଇ ସପ୍ତମ ଦିନିକିଆ ଶତକରୁ ବଞ୍ଚିତ ରହିଥିଲେ। ଏଥି ସହ ବାଂଲାଦେଶର ସମ୍ଭାବ୍ୟ ୨୬୦/୨୭୦ ସ୍କୋର୍ ମଧ୍ୟ ଫସର ଫାଟିଥିଲା। ପାକିସ୍ତାନ ପକ୍ଷରୁ ଜୁନୈଦ ଖାନ୍ (୯-୧-୧୯-୪) ସବୁଠୁ ପ୍ରଭାବୀ ବୋଲିଂ କରିଥିଲେ।

ସଂକ୍ଷିପ୍ତ ସ୍କୋର: ବାଂଲାଦେଶ ୪୮.୫ ଓଭରରେ ୨୩୯ (ମୁସଫିକର୍ ରହିମ୍-୯୯, ମହମ୍ମଦ ମିଥୁନ୍-୬୦, ମହମ୍ମଦୁଲ୍ଲା-୨୫, ଜୁନୈଦ ଖାନ୍-୪/୧୯, ସାହିନ୍ ସାହା ଆଫ୍ରିଦି-୨/୪୭, ହାସନ୍ ଅଲୀ-୨/୬୦, ସଦାବ ଖାନ୍-୧/୫୨)। ପାକିସ୍ତାନ ୫୦ ଓଭରରେ ୨୦୨/୯ (ଇମାମ୍ ଉଲ୍ ହକ୍-୮୩, ସୋଏବ ମଲ୍ଳିକ-୩୦, ଆସିଫ୍ ଅଲୀ-୩୧, ମୁସ୍ତାଫିଜୁର ରେହମାନ୍-୪/୪୩, ମେହିଦି ହାସନ୍ ମିରାଜ-୨/୨୮, ସାହିନ୍ ସାହା ଆଫ୍ରିଦି-୧୪*, ‌େସୗମ୍ୟ ସରକାର-୧/୧୯, ରୁବେଲ ହୋସେନ୍-୧/୩୮, ମହମ୍ମଦୁଲ୍ଲା-୧/୩୮)।

ସମ୍ବନ୍ଧିତ ଖବର