ଭାରତୀୟ ବାୟୁସେନାର ଦୁଃସାହସିକ ‘ରେସ୍‌କ୍ୟୁ ଅପରେସନ୍‌’; ରାସ୍ତା ଉପରେ ଏମ୍‌ଆଇ-୧୭ ହେଲିକପ୍ଟର ଅବତରଣ କରାଇ ୧୨୫ ଜଣଙ୍କୁ କଲା ଉଦ୍ଧାର: ଦେଖନ୍ତୁ ଭିଡିଓ

କଚ୍ଚ (ଗୁଜୁରାଟ): ପ୍ରବଳ ବର୍ଷା ଜନିତ ବନ୍ୟା ସଂପ୍ରତି ଗୁଜୁରାଟରେ ପ୍ରଳୟ ରଚିଛି। ଏପରିସ୍ଥିତିରେ କଚ୍ଚ ଜିଲ୍ଲା ମଧ୍ୟ ଦେଇ ଭୁଜ୍‌କୁ ଯାଇଥିବା ରାଜପଥ ଉପରେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଫସି ଯାଇଥିବା ୧୨୫ ଜଣ ବ୍ୟକ୍ତିଙ୍କୁ ଭାରତୀୟ ବାୟୁସେନାର ଏକ ଏମ୍‌ଆଇ-୧୭ ହେଲିକପ୍ଟର ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ରାସ୍ତା ଉପରେ ଅବତରଣ କରି ଯେପରି ସୁରକ୍ଷିତ ଭାବେ ଉଦ୍ଧାର କଲା ତାହାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଆରମ୍ଭ ହୋଇଛି। ଅପରପକ୍ଷରେ ଏହି ପୂରା ‘ରେସ୍‌କ୍ୟୁ ଅପରେସନ୍‌’ର ଭିଡିଓ ଚିତ୍ରକୁ ଭାରତୀୟ ବାୟୁସେନା ନିଜ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିବା ପରେ ଭିଡିଓଟି ଏବେ ଭାଇରାଲ ହେବାକୁ ଆରମ୍ଭ କରିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଗତ ସୋମବାର ଅପରାହ୍ଣରେ ଗୁଜୁରାଟର କଚ୍ଚ ଜିଲ୍ଲା ମଧ୍ୟ ଦେଇ ଭୁଜ୍‌ର ହାଜିପୁର ଦର୍‌ଘାକୁ ଯାଇଥିବା ଜାତୀୟ ରାଜପଥର ଆଗ ଓ ପଛ ପଟ ହଠାତ୍‌ ଆସିଥିବା ବନ୍ୟାଜଳରେ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ଧୋଇ ଯାଇଥିଲା। ଫଳରେ ନା ଆଗକୁ ନା ପଛକୁ ଯାଇପାରି ମଝି ରାସ୍ତା ଉପରେ ୧୨୫ ଜଣ ବ୍ୟକ୍ତି ସଂପୂର୍ଣ୍ଣ ଅସୁରକ୍ଷିତ ଭାବେ ଫସି ଯାଇଥିଲେ। ସେଠାରେ ବନ୍ୟାଜଳର ସ୍ରୋତ ଏତେ ପ୍ରଖର ଥିଲା ଯେ ସେଠାରୁ ଫସିଥିବା ଲୋକମାନଙ୍କୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ତାହା ଏନ୍‌ଡିଆର୍‌ଏଫ୍‌ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟି ଥିଲା।

ଏ ପରିସ୍ଥିତିରେ ଭାରତୀୟ ବାୟୁସେନାର ଦକ୍ଷିଣ ପଶ୍ଚିମ ଏୟାର କମାଣ୍ଡକୁ ଜରୁରିକାଳୀନ ଭିତ୍ତିରେ ଖବର ଗଲା ରାସ୍ତା ମଝିରେ ଫସି ଯାଇଥିବା ୧୨୫ ଜଣଙ୍କୁ ଉଦ୍ଧାର କରିବା ପାଇଁ। ଖବର ପାଇବା ମାତ୍ରେ ବାୟୁସେନାର ଦକ୍ଷିଣ ପଶ୍ଚିମ ଏୟାର କମାଣ୍ଡରୁ ଏକ ଏମ୍‌ଆଇ- ୧୭ ହେଲିକପ୍ଟର ଘଟଣାସ୍ଥଳକୁ ପଠା ଯାଇଥିଲା। ହେଲିକପ୍ଟରଟି ୩ ଥର ଉଡ଼ାଣ ଭରି ରାସ୍ତା ଉପରେ ଅବତରଣ କରିବା ସହ ସମସ୍ତ ୧୨୫ ଜଣଙ୍କୁ ସଂପୂର୍ଣ୍ଣ ସୁରକ୍ଷିତ ଭାବେ ଉଦ୍ଧାର କରି ନିରାପଦ ସ୍ଥାନକୁ ନେଇଥିଲା।

ସମ୍ବନ୍ଧିତ ଖବର