ରାଫେଲ୍‌ ଜେଟ୍‌ ଉଡ଼ାଣ ତାଲିମ୍‌ ନେବାକୁ ଫ୍ରାନ୍ସ ଗଲେ ଭାରତୀୟ ବାୟୁସେନାର ଛଅ ଜଣିଆ କ୍ର୍ୟୁ

ନୂଆଦିଲ୍ଲୀ: ସଂପୂର୍ଣ୍ଣ ଅତ୍ୟାଧୁନିକ ଲଢ଼ୁଆ ବିମାନ ରାଫେଲ୍‌ ଜେଟର ଉଡ଼ାଣ ଓ ଏହାର ପରିଚାଳନା ସଂପର୍କରେ ପ୍ରଥମ ପର୍ଯ୍ୟାୟ ତାଲିମ୍‌ ଓ ପ୍ରଶିକ୍ଷଣ ଶେଷ କଲା କଲା ପରେ ଭାରତୀୟ ବାୟୁସେନାର ଏକ ଛଅ ଜଣିଆ କ୍ର୍ୟୁ ସଦସ୍ୟ ଅଧିକ ତାଲିମ ଓ ପ୍ରଶିକ୍ଷଣ ପାଇଁ ଗତ ରବିବାର ଦିନ ଫ୍ରାନ୍ସ ଯାତ୍ରା କରିଛନ୍ତି। ଏହି ଛଅ ଜଣିଆ କ୍ର୍ୟୁ ସଦସ୍ୟଙ୍କ ମଧ୍ୟରେ ଜଣେ ଲଢ଼ୁଆ ବିମାନର ଉଡ଼ାଣ ଭରୁଥିବା ପାଇଲଟ ଥିବା ବେଳେ, ଜଣେ ଇଞ୍ଜିନିୟର ଓ ଅନ୍ୟ ଚାରି ଜଣ ଟେକ୍‌ନିସିଆନ୍‌ ରହିଥିବା ଜାଣିବାକୁ ମିଳଛି। ପ୍ରତିରକ୍ଷା ବିଭାଗ ଆସନ୍ତା ୨୦୧୯ରୁ ନିଜର ବାୟୁସେନାରେ ପ୍ରଥମ ପର୍ଯ୍ୟାୟ ଲଢ଼ୁଆ ରାଫେଲ୍‌ ଜେଟ୍‌କୁ ସାମିଲ କରିବା ଯୋଜନା ଚୂଡ଼ାନ୍ତ କରିଥିବା ଦୃଷ୍ଟିରୁ ଏବେ ରାଫେଲ୍‌ ଜେଟ୍‌ ଉଡ଼ାଣ ସଂପର୍କିତ ଓ ତାଲିମ ଓ ପ୍ରଶିକ୍ଷଣ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଛି।

ପ୍ରଥମ ପର୍ଯ୍ୟାୟରେ ରାଫେଲ୍‌ ଜେଟର ଉଡ଼ାଣ ଓ ଏହାର ପରିଚାଳନା ସଂପର୍କରେ ଅଧିକ ତାଲିମ୍‌ ଓ ପ୍ରଶିକ୍ଷଣ ଫ୍ରାନ୍ସ ଯାତ୍ରା କରିଥିବା ଭାରତୀୟ ବାୟୁସେନାର ଏହି ଛଅ ଜଣିଆ କ୍ର୍ୟୁ ସଦସ୍ୟ ପୂର୍ବ ଫ୍ରାନ୍ସର ସେଣ୍ଟ ଡିଜୟାର ଏୟାର ବେସ୍‌ରେ ସେମାନଙ୍କର ତାଲିମ ଓ ପ୍ରଶିକ୍ଷଣ ଗ୍ରହଣ କରିବେ। ଆଗାମୀ ଦିନରେ ଭାରତୀୟ ବାୟୁସେନାର ଆହୁରି ଅଧିକ ଏଢ଼ୁଆ ବିମାନ ପାଇଲଟଙ୍କୁ  ରାଫେଲ୍‌ ଜେଟ୍‌ର ଉଡ଼ାଣ ସଂପର୍କରେ ଅଧିକ ତାଲିମ ନେବାକୁ ଫ୍ରାନ୍ସ ପଠାଯିବାର ଯୋଜନା ରହିଛି।  ଫ୍ରାନ୍ସଠାରୁ ୩୬ଟି ରାଫେଲ୍‌ ଜେଟ୍‌ କ୍ରୟ କରିବା ପାଇଁ ଭାରତ ଚୁକ୍ତି ସ୍ୱାକ୍ଷରିତ କରିଛି। ରାଫେଲ ଜେଟ୍‌ ଗୁଡ଼ିକୁ ଭାରତୀୟ ବାୟୁସେନାର ହରିୟାଣାର ଅମ୍ବାଲା ଓ ପଶ୍ଚିମବଙ୍ଗର ହାସିମାରା ଏୟାର ବେସ୍‌ରେ ମୁତୟନ କରାଯିବ। ଏଥିପାଇଁ ବାୟୁସେନା ପକ୍ଷରୁ ସ୍ୱତନ୍ତ୍ର ସ୍ୱାଡନ ପ୍ରସ୍ତୁତ କରାଯିବା ସହ ଦେଶର ପଶ୍ଚିମ ଓ ପୂର୍ବ ସୀମାନ୍ତରେ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏହାକୁ ମୁତୟନ କରାଯିବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର