କାବୁଲରେ ଜଣେ ଭାରତୀୟଙ୍କ ସମେତ ୩ ବିଦେଶୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

କାବୁଲ୍‌ (ଆଫ୍‌ଗାନିସ୍ତାନ୍‌): ଆତଙ୍କବାଦ କବଳିତ କାବୁଲ୍‌ରେ ଆଜି (ଗୁରୁବାର) ଜଣେ ଭାରତୀୟଙ୍କ ସମେତ ତିନିଜଣ ବିଦେଶୀ ନାଗରିକଙ୍କୁ ଆତଙ୍କବାଦୀମାନେ ପୂର୍ବ କାବୁଲରୁ ଅପହରଣ କରିନେବା ପରେ ସେମାନଙ୍କୁ ହତ୍ୟା କରିଛନ୍ତି। ଆତଙ୍କବାଦୀ ମାନଙ୍କ ଦ୍ୱାରା ଘଟିଥିବା ଏହି ଘଟଣା ଏବେ ଆଫଗାନିସ୍ତାନ୍‌ ସୁରକ୍ଷା ବିଶେଷଜ୍ଞ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏହି ଘଟଣା ସଂପର୍କରେ ଆଫ୍‌ଗାନିସ୍ତାନର ଜନୈକ ବରିଷ୍ଠ କୂଟନୈତିକ ଅଧିକାରୀ ଏବଂ ଦୁଇଜଣ ସୁରକ୍ଷା ଅଧିକାରୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି ଯେ ଏହି ତିନି ଜଣ ବିଦେଶୀ କାବୁଲରେ ଥିବା ବିଶ୍ୱର ଦ୍ୱିତୀୟ ବୃହତ ଫୁଡ୍‌ ଆଣ୍ଡ କାଟରିଙ୍ଗ୍‌ ସର୍ଭିସ୍‌ କମ୍ପାନି, ସୋଡିସ୍କୋରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ଏହି ତିନି ଜଣଙ୍କ ମଧ୍ୟରୁ ଜଣେ ଭାରତୀୟ ନାଗରିକ ହୋଇଥିବା ବେଳେ ଦ୍ୱିତୀୟ ଜଣକ ମାଲୟେସିଆ ଓ ତୃତୀୟ ଜଣକ ମେକ୍‌ଡୋନାର ନାଗରିକ।

ଆତଙ୍କବାଦୀମାନେ ପ୍ରଥମେ ଏମାନଙ୍କୁ ଅପହରଣ କରିନେବା ପରେ ସମସ୍ତଙ୍କୁ ହତ୍ୟା କରିଛନ୍ତି ଏବଂ ସମସ୍ତ ତିନି ଜଣଙ୍କର ମୃତ ଦେହକୁ କାବୁଲ ପୁଲିସ୍‌ ଜବତ କରିଛି ବୋଲି କହିଛନ୍ତି କାବୁଲ ପୁଲିସ୍‌ ମୁଖ୍ୟଙ୍କ ପ୍ରବକ୍ତା। ଏହି ତିନି ଜଣ ଆଜି ସକାଳେ ଗୋଟିଏ ଭଡ଼ା ଗାଡ଼ିରେ ସେମାନଙ୍କ କମ୍ପାନିକୁ ଯାଉଥିବା ବେଳେ ବାଟରେ ଆତଙ୍କବାଦୀମାନେ ସେମାନଙ୍କୁ ଅପହରଣ କରି ନେବା ସହ ପରେ ସେମାନଙ୍କୁ ଗୋଟିଏ ଗାଡ଼ି ମଧ୍ୟରେ ହତ୍ୟା କରି ପକାଇ ଦେଇଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି କାବୁଲ ପୁଲିସ୍‌ ମୁଖ୍ୟଙ୍କ ପ୍ରବକ୍ତା।

ସମ୍ବନ୍ଧିତ ଖବର