ଏକମାତ୍ର ପୁଅ ଘରଛାଡି ଆତଙ୍କବାଦୀ ହୋଇଗଲା, ଘରେ ଥିବା ବୃଦ୍ଧ ପିତାମାତାଙ୍କ ସେବା କରୁଛି ଭାରତୀୟ ସେନା

ଶ୍ରୀନଗର : ଭାରତୀୟ ସେନା ବିଶ୍ବର ଏକ ଶୃଙ୍ଖଳିତ ଓ ପ୍ରଫେସନାଲ ସେନା ଭାବେ ଜଣାଶୁଣା । ଯୁଦ୍ଧରେ ଆମ ସେନା ଶତ୍ରୁପକ୍ଷ ପାଇଁ ସାକ୍ଷାତ ଯମ ସଦୃଶ ହୋଇଥାଏ । କିନ୍ତୁ ପ୍ରାକୃତିକ ଦୁର୍ବିପାକରେ ସାଧାରଣ ଜନତାଙ୍କ ପାଇଁ ଦେବଦୂତ ସାଜିଥାଏ । ଏହାର ପ୍ରମାଣ ଏବେ କେରଳରେ ଦେଖିବାକୁ ମିଳୁଛି । ପୂର୍ବରୁ କାଶ୍ମୀର ବନ୍ୟାରେ ଦେଖିବାକୁ ମଧ୍ୟ ମିଳିଥିଲା । ଏହାର ଆଉ ଏକ ପ୍ରମାଣ ସେହି କାଶ୍ମୀରରେ ନିକଟରେ ମିଳିଛି । ପ୍ରାୟ ୩ ବର୍ଷ ପୂର୍ବେ କାଶ୍ମୀର ଯୁବକ ରିୟାଜ ଅହମଦ ଡର୍ ଘରୁ ପଳାଇଯାଇ ଆତଙ୍କବାଦୀ ହୋଇଯାଇଥିଲା । ଲକ୍ଷ୍ୟ ଭାରତୀୟ ସେନା ଓ ସରକାରଙ୍କ ବିରୋଧରେ ଧର୍ମଯୁଦ୍ଧ କରିବା । କିନ୍ତୁ ଘରେ ରହିଯାଇଥିଲେ ତାହାର ବୃଦ୍ଧ ଅସହାୟ ପିତାମାତା । ତାହାର ବୃଦ୍ଧ ପିତା ପାରାଲିସିସରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି । ନିଜେ ନିଜ କାମ କରିବାକୁ ଅକ୍ଷମ । ଏକ ମାତ୍ର ପୁଅ ବୃଦ୍ଧାବସ୍ଥାରେ ତାଙ୍କୁ ସହାୟ ହେବା ବଦଳରେ ପାଲଟିଛି ଏକ ନାମୀ ଆତଙ୍କବାଦୀ । କିନ୍ତୁ ଏହି ପରିସ୍ଥିତିରେ ଏହି ବୃଦ୍ଧ ପିତାମାତାଙ୍କ ସହାୟ ହୋଇଛି ଭାରତୀୟ ସେନା । ସେମାନଙ୍କୁ ସେନା ହସପିଟାଲରେ ଚିକିତ୍ସା କରାଯାଇଥିବାବେଳେ ଆବଶ୍ୟକ ଔଷଧପତ୍ର ଯୋଗାଇଦିଆଯାଇଛି । ଆଗକୁ ମଧ୍ୟ ଔଷଧ ଓ ଜରୁରୀ ସହାୟତା ଯୋଗାଇଦିଆଯିବ ବୋଲି ସେନା କହିଛି । ସେନାର ଏହି ଉଦ୍ୟମକୁ ଘାଟିରେ ବେଶ ପ୍ରସଂଶା କରାଯାଉଛି ।

ସମ୍ବନ୍ଧିତ ଖବର