ପିଓକେରେ ପଶିଲା ଭାରତୀୟ ସେନା: ପାକ୍‌ ବର୍ବରତାର ଜବାବ

ଶ୍ରୀନଗର: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଭାରତୀୟ ସେନା କମାଣ୍ଡୋଙ୍କ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ ପାକ୍‌ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ କୋକୁଆ ଭୟ ଖେଳାଇ ଦେଇଛି। ଶନିବାର ପାକିସ୍ତାନ ବ୍ୟାଟ୍‌ (ବୋର୍ଡର ଆକ୍ସନ ଟିମ୍‌)ର କାପୁରୁଷୋଚିତ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତୀୟ ସେନା। ରାଜୌରି ଓ ପୁଞ୍ଚ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନା ପାକିସ୍ତାନ ଭିତରେ ପଶି ୩ ଜଣ ପାକ୍‌ ସୈନିକଙ୍କୁ ଗତକାଲି ସନ୍ଧ୍ୟାରେ ନିପାତ କରିଥିବା ବେଳେ ଦୁଇ ଦିନ ଭିତରେ ୫ ପାକ୍‌ ସୈନିକ ନିପାତ ହୋଇଥିବା ସେନା ପ୍ରବକ୍ତା କହିଛନ୍ତି। ନିହତଙ୍କ ମଧ୍ୟରେ ୨ ଜଣ ସ୍ନାଇପର ଥିବା ଭାରତୀୟ ସେନା ସ୍ପଷ୍ଟ କରିଛି। ଗତକାଲି ସନ୍ଧ୍ୟା ୬ଟାରେ ପୁଞ୍ଚ ନିୟନ୍ତ୍ରଣ ରେଖା ଅଂଚଳରେ ଆରମ୍ଭ ହୋଇଥିବା ଏହି ଅପରେସନ ୪୫ ମିନିଟ୍‌ ଧରି ଚାଲିଥିଲା ଏବଂ ଏହାକୁ ଭାରତର ଦ୍ୱିତୀୟ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ବୋଲି ମଧ୍ୟ କୁହାଯାଉଛି। ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଗତକାଲି ୩ ପାକ୍‌ ସେନା ନିହତ ହେବାପରେ ଅଧିକ କାର୍ଯ୍ୟାନୁଷ୍ଠାନ ଭୟରେ ପାକ୍‌ ସେନା ସେମାନଙ୍କ ପୋଷ୍ଟ୍‍ ଛାଡ଼ି ପଳାଇଥିବା ଜଣାପଡ଼ିଛି। ଭାରତୀୟ ସେନା ସଫଳତାର ସହ ଏହି ଅପରେସନ ଶେଷ କରିଥିବା ଘୋଷଣା କରିଛି। ପିଓକେରେ ଥିବା ଅନେକ କ୍ୟାମ୍ପ୍‌ରୁ ଆତଙ୍କବାଦୀ ଛତ୍ରଭଂଗ ଦେଇଥିବା ମଧ୍ୟ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି। ପାକିସ୍ତାନ ବ୍ୟାଟ୍‌ ଟିମ୍‌ ଶନିବାର ରାଜୌରି ସେକ୍ଟରରେ ଅତର୍କିତ ଆକ୍ରମଣ କରି ଭାରତୀୟ ସେନାର ୪ ଯବାନଙ୍କୁ ହତ୍ୟା କରିବା ପରେ ଭାରତର ଏହି ଜବାବୀ କାର୍ଯ୍ୟାନୁଷ୍ଠାନ ପାକିସ୍ତାନରେ ହଇଚଇ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ଆଜି ପୁଞ୍ଚ ଓ ରାଜୌରିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବାକୁ ପାକ୍‌ ସେନାର ଯୋଜନାକୁ ଭାରତ ପଣ୍ଡ କରିଦେଇଛି। ପାକ୍‌ ଆତଙ୍କବାଦୀଙ୍କ ୩ଟି ପ୍ରବେଶ ପଥକୁ ଠାବ କରାଯିବା ପରେ ଭାରତୀୟ ସେନାର କଡ଼ା କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦୀମାନେ ଛତ୍ରଭଙ୍ଗ ଦେଇ ପଳାଇଛନ୍ତି। ପାକିସ୍ତାନ ସେନା ଅନୁପ୍ରବେଶ ପାଇଁ ଯୁଦ୍ଧସ୍ତରରେ ଉଦ୍ୟମ ଚଳାଇଥିବାରୁ ସୀମାରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ସ୍ୟାଟେଲାଇଟ୍‌ ମାଧ୍ୟମରେ ସ୍ଥିତି ନେଇ ଅହରହ ନଜର ରଖାଯାଉଛି । ଗତକାଲି ନିପାତ ହୋଇଥିବା ୩ ପାକ୍‌ ସୈନିକ ବେଲୁଚ୍‌ ରେଜିମେଣ୍ଟର ହୋଇଥିବା ବେଳେ ରାଜୌରିରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୨ ଜଣ ପାକ୍‌ ସ୍ନାଇପର ନିପାତ ହୋଇଥିବା ଜଣାପଡ଼ିଛି । ପାକିସ୍ତାନୀ ରେଞ୍ଜର୍ସ ଏବେ ଭାରୀ ଯୁଦ୍ଧାସ୍ତ୍ରରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଭାରତ ମଧ୍ୟ ସମାନ ଅସ୍ତ୍ରରେ ଏହାର କଡ଼ା ଜବାବ ଦେବାକୁ ତୟାର ରହିଛି । ଉଭୟ ପଟୁ ଗୁଳିବର୍ଷାରେ ସୀମାନ୍ତ ଅଞ୍ଚଳରେ ପୁଣି ଆତଙ୍କ ସୃଷ୍ଟି ହୋଇଛି । ଏଲ୍‌ଓସିଠାରୁ ୨ କିମି ମଧ୍ୟରେ ଥିବା ଗ୍ରାମଗୁଡ଼ିକୁ ପାକିସ୍ତାନ ଟାର୍ଗେଟ୍‌ କରିଥିବାରୁ ଲୋକଙ୍କୁ ସର୍ବାଧିକ ସତର୍କ ରହିବାକୁ କୁହାଯାଇଛି । ଗତ ଶନିବାର ଦିନ ପାକ୍‌ ସେନାର ଆକ୍ରମଣରେ ଭାରତୀୟ ସେନାର ମେଜର ପ୍ରଫୁଲ୍ଲ ଅମ୍ବାଦାସ, ଲାନ୍‌୍‌ସ ନାୟକ ଗୁରମେଲ୍‌୍‌ ସିଂହ, ସିପାହି ପ୍ରଗତ ସିଂହ ଓ ଅନ୍ୟ ଜଣେ ସେନା ସହାୟକ ସହିଦ ହୋଇଯାଇଥିଲେ।

ପୁଲଓ୍ଵାମା ଏନକାଉଣ୍ଟର, ଜେଇଏମ୍‌ ଶୀର୍ଷ କମାଣ୍ଡର ନିପାତ
ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଆଜି ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଗୁଳିରେ ଜୈଶ ଏ ମହମ୍ମଦର ଶୀର୍ଷ କମାଣ୍ଡର ନୁର୍‌ ମହମ୍ମଦ ତାନ୍ତ୍ରେ ନିପାତ ହୋଇଛି ବୋଲି ସେନା ମୁଖପାତ୍ର ରାଜେଶ କାଲିଆ କହିଛନ୍ତି। କଶ୍ମୀର ଘାଟିରେ ୩୦ରୁ ଅଧିକ ହିଂସା ପାଇଁ ସିଧାସଳଖ ଦାୟୀ ବୋଲି କୁହାଯାଉଥିବା ନୁର୍‌ ମହମ୍ମଦକୁ ଧରିବା ପାଇଁ ସୁରକ୍ଷା ବାହିନୀ ବର୍ଷକ ତଳୁ ହିଁ ଯୋଜନା କରିଥିଲା ଏବଂ ଆଜି ତାହାର ସଫଳତା ମିଳିଛି। ନୁର୍‌ ମହମ୍ମଦ ଭାରତୀୟ ସେନାବାହିନୀର ମୋଷ୍ଟ ଓ୍ଵାଣ୍ଟେଡ଼ ତାଲିକାରେ ରହିଥିଲା। ନୁର୍‌କୁ ନିପାତ କରାଯିବା ପରେ ଦକ୍ଷିଣ କଶ୍ମୀରର ବ୍ୟାପକ ଅଂଚଳରେ ଆତଙ୍କବାଦୀଙ୍କ ଗଡ଼ ଭୁଶୁଡ଼ିବ ବୋଲି ଜମ୍ମୁ କଶ୍ମୀର ପୁଲିସ କହିଛି । କେନ୍ଦ୍ରୀୟ କଶ୍ମୀରରେ ଜେଇଏମ୍‌ ପରିଚାଳନାରେ ନୁର୍‌ ପ୍ରମୁଖ ଦାୟିତ୍ୱ ନିର୍ବାହ କରୁଥିଲା। ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲାର ସମ୍ବୁରାରେ ଏକ ଘରେ ନୁର୍‌ ଏବଂ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଜମ୍ମୁ କଶ୍ମୀର ପୁଲିସ ଏବଂ ସୁରକ୍ଷା ବାହିନୀ ଅପରେସନ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର