ଇସ୍ରାଇଲରୁ ମାରାତ୍ମକ ସ୍ପାଇକ ଆଣ୍ଟି-ଟ୍ୟାଙ୍କ ମିସାଇଲ ଖରିଦ କରିବାକୁ ଅର୍ଡର ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ : ଇସ୍ରାଏଲରୁ ଆଣ୍ଟି-ଟ୍ୟାଙ୍କ ସ୍ପାଇକ ମିଶାଇଲ ଖରିଦ କରିବାକୁ ଭାରତୀୟ ସେନା ଅର୍ଡର ଦେଇଛି । ଏହି କ୍ରୟ ପାଇଁ ଗତ ଏପ୍ରିଲ ମାସରେ ଭାରତ ସେନାକୁ ଅନୁମତି ମିଳିଥିଲା, ଚଳିତ ମାସରେ ଅର୍ଡର ଦିଆଯାଇଛି ବୋଲି ଜଣାପଡିଛି । ଏହି ମିସାଇଲର ବିଶେଷତ୍ୱ ହେଉଛି ଏହା ବିଶ୍ୱର ସବୁଠୁ ମାରାତ୍ମକ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍‌ ମିସାଇଲ । ଏହାର ମାରକ କ୍ଷମତା ସର୍ବାଧିକ ୨୫ କିଲୋମିଟର । ଏହାକୁ ଜଣେ ସୈନିକ କାନ୍ଧରେ ବୋହି ଫାୟାର କରିପାରିବ ।

ବିଶ୍ୱର ସବୁପ୍ରକାରର ଅତ୍ୟାଧୁନିକ ଟ୍ୟାଙ୍କକୁ ଧ୍ୱଂସ କରିବାକୁ ଏହା ସକ୍ଷମ । ବିଶ୍ୱର ଅଳ୍ପ କେତେକ ଦେଶକୁ ହିଁ ଇସ୍ରାଏଲ ଏହି ମିସାଇଲ ହସ୍ତାନ୍ତର କରିଛି । ଭାରତୀୟ ସେନା ପାଖକୁ ଆସିଲେ ଏହା ପାକିସ୍ତାନୀ ଟ୍ୟାଙ୍କ ବାହିନୀ ପାଇଁ ଘାତକ ସାବ୍ୟସ୍ତ ହେବ । ଚୀନ ପାକିସ୍ତାନକୁ ଅତ୍ୟାଧୁନିକ ଭିଟି-୪ ଯୁଦ୍ଧ ଟ୍ୟାଙ୍କ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଭାରତର ଏହି ନିଷ୍ପତ୍ତି ବେଶ ଗୁରୁତ୍ୱ ବହନ କରୁଛି । ଏହି ଟ୍ୟାଙ୍କର ବିଶେଷତ୍ୱ ହେଉଛି ଯେ ଏହାକୁ ଦୂର୍ଗମ ସ୍ଥାନରେ ମୃତୟନ କରାଯାଇପାରିବ ଓ ଏହା ରାତିଅନ୍ଧାରରେ ପ୍ରବଳ ବେଗରେ ଆକ୍ରମଣ କରିପାରିବ । ଖୁବଶୀଘ୍ର ପାକିସ୍ତାନକୁ ଏହି ଟ୍ୟାଙ୍କର ଡେଲିଭରୀ ଆରମ୍ଭ କରିବ ଚୀନ । ମୁଖ୍ୟତଃ ଭାରତକୁ ଟାର୍ଗେଟ କରିବାକୁ ପାକିସ୍ତାନ ଏହି ଟ୍ୟାଙ୍କ ଆଣୁଛି । ଏଣୁ ସ୍ପାଇକ ମିସାଇଲ ମାଧ୍ୟମରେ ଏସବୁ ଟ୍ୟାଙ୍କଗୁଡ଼ିକୁ ଧ୍ୱଂସ ଯୋଜନା କରୁଛି ଭାରତ ।

ସମ୍ବନ୍ଧିତ ଖବର