ସେନା ପାଇଁ ସରକାରଙ୍କ ପାଖରେ ପାଣ୍ଠି ନାହିଁ ! ପରିସ୍ଥିତି ଏମିତି ଯେ ସେନା କର୍ମଚାରୀଙ୍କୁ କିଣିବାକୁ ପଡ଼ିପାରେ ନିଜ ୟୁନିଫର୍ମ

ନୂଆଦିଲ୍ଲୀ :  ଆମ ଦେଶରେ ନେତା ଓ ଅଫିସରମାନେ ନିଜ ନିଜର ଦରମା ବଢାଇବାକୁ ସବୁ ମତଭେଦ ଭୁଲି ଏକାଠି ହୋଇଯାଉଛନ୍ତି । ସେହିପରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅନେକ ଲୋକ ସରକାରଙ୍କୁ ଟିକସ କିପରି ଫାଙ୍କିହେବ ସେହି ମୌକାରେ ରହୁଛନ୍ତି । କିନ୍ତୁ ଦେଶର ସୁରକ୍ଷା କରୁଥିବା ଆମ ସେନା ପାଇଁ  ପାଣ୍ଠି ଅଭାବ ପଡୁଛି । ଦିନକୁ ଦିନ ସେନାର ଏହି ଆର୍ଥିକ ସମସ୍ୟା ଉତ୍କଟ ହେଲାଣି । ପାଣ୍ଠି ଅଭାବରୁ ସେନା କର୍ମଚାରୀଙ୍କୁ ନିଜ ପୋଷାକ ବଜାରରୁ କିଣିବା ଭଳି ସ୍ଥିତି ଆସିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହା ନିଶ୍ଚିତ ଭାବେ ଉଦବେଗଜନକ।

photo credit zee news

ଚୀନ ଓ ପାକିସ୍ତାନ ପଟୁ ଭାରତକୁ ବିପଦର ଆଶଙ୍କା ବଢିଚାଲିଥିବାବେଳେ ଭାରତୀୟ ସେନା ପାଇଁ ପାଣ୍ଠି ନିଅଣ୍ଟ ହେବା ବିଶେଷଜ୍ଞ ମହଲରେ ଚିନ୍ତା ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ ଯୁଦ୍ଧ ଲାଗିଲେ ଭାରତୀୟ ସେନା ପାଖରେ ଯେତିକି  ଗୋଳାବାରୁଦ ରହିଛି ତାହା ମାତ୍ର ୧୦ ଦିନ ମଧ୍ୟ ଯିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାର କେତେକ କଠୋର ପଦକ୍ଷେପ ଉଠାଇବାକୁ ବିଚାର କରୁଛନ୍ତି ।  ଏହି ଯୋଜନା ଅନୁଯାୟୀ ଯୁଦ୍ଧ ପରିସ୍ଥିତିରେ ଭାରତୀୟ ସେନା ପାଖରେ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଅନ୍ୟାନ୍ୟ ସାଜସରଞ୍ଜାମ ଯେପକି ଅଭାବ ନ ପଡେ ସେଥିପାଇଁ ସେଗୁଡିକୁ ଗଚ୍ଛିତ କରି ରଖାଯିବ । ଏଥିପାଇଁ ପାଣ୍ଠି ସଂଗ୍ରହ କରିବାକୁ  ସେନାକୁ ଅର୍ଡିନାନ୍ସ ଫାକ୍ଟ୍ରି ( ସରକାରୀ ଗୋଳାବାରୁଦ, ସାଜସରଞ୍ଜାମ ଓ ପୋଷାକ କାରଖାନାରୁ) ଯୋଗାଣ କମ କରାଯିବ । ପୂର୍ବରୁ ସେନାର ଆବଶ୍ୟକତାର ୯୪ ପ୍ରତିଶତ ଏସବୁ କାରଖାନାରୁ ଆସୁଥିବାବେଳେ ସରକାର ଏହାକୁ ୫୦ ପ୍ରତିଶତକୁ କମାଇବାକୁ ଯୋଜନା କରୁଛନ୍ତି ।

ଏହା ଫଳରେ ସେନା କର୍ମଚାରୀଙ୍କ ନିତିଦିନିଆ ସାମଗ୍ରୀ ଏପରିକି ପୋଷକ ଆଦି କିଣିବାକୁ ମଧ୍ୟ ଖୋଲା ବଜାର ଉପରେ ନିର୍ଭର କରିବାକୁ ପଡିବ । ଜରୁରୀକାଳୀନ ପରିସ୍ଥିତିରେ ସେନା ପାଇଁ ଗୋଳାବାରୁଦ ମହଜୁଦ ରଖିବାକୁ ସେନା ପ୍ରାୟ ୨୧,୭୩୯ କୋଟିର ପାଣ୍ଠି ଆବଶ୍ୟକ କରୁଛି । ଇତି ମଧ୍ୟରେ  ଗୋଳାବାରୁଦ କିଣିବା ପାଇଁ ସେନା  ୫ ହଜାର କୋଟି ବ୍ୟୟ କରିସାରିଲାଣି ଓ ଆଉ ୬୭୩୯ କୋଟିର ସାମଗ୍ରୀ ଆସିଥିବାବେଳେ ସେଥିପାଇଁ ଅର୍ଥ ପୈଠ କରାଯିବ ।

ସମ୍ବନ୍ଧିତ ଖବର