ଭାରତୀୟ ସେନାର ସଂକେତ ଥିବା ପୋଷାକ ବିକ୍ରି କରୁଥିବା କମ୍ପାନି ସାବଧାନ, ଦଣ୍ଡିତ ହୋଇପାରନ୍ତି

ମୁମ୍ବାଇ : କଠିନ ଓ ଦୁଃସାହସିକ ଟ୍ରେନିଂ ପରେ ଜଣ ବ୍ୟକ୍ତି ଭାରତୀୟ ସେନାର ସଂକେତ ୟୁନିଫର୍ମ ଥିବା ୟୁନିଫର୍ମ ପିନ୍ଧିିବାକୁ ଯୋଗ୍ୟ ବିବେଚିତ ହୋଇଥାଏ । ୟୁନିଫର୍ମ ପିନ୍ଧିବା ପରେ ହିଁ ବ୍ୟକ୍ତିକୁ ଯବାନ ବୋଲି କୁହାଯାଇଥାଏ । ଜଣେ ଯବାନ ପାଇଁ ତାହାର ୟୁନିଫର୍ମ ହିଁ ସବୁକିଛି । କିନ୍ତୁ ଆଜିକାଲି କେତେକ କମ୍ପାନି ଲାଭ କମାଇବା ପାଇଁ ଭାରତୀୟ ସେନାର ସଂକେତ ଥିବା ପୋଷାକ ତିଆରି କରି ବଜାରରେ ବିକ୍ରି କରୁଛନ୍ତି । ଏହାକୁ ସେନା ବେଶ ଗୁରୁତ୍ୱର ସହ ନେଇଛି ।

ଟିସାର୍ଟ ଓ ଅନ୍ୟାନ୍ୟ ପୋଷାକରେ ଭାରତୀୟ ସେନାର ଲୋଗୋ ଲଗାଇ ବିକ୍ରି କରୁଥିବା କମ୍ପାନି ସାବଧାନ । ଏଥିପାଇଁ ଭାରତୀୟ ସେନା ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରେ । ନିକଟରେ ଭାରତୀୟ ସେନାର ସଂକେତ ଥିବା ଟି-ସାର୍ଟ ବିକୁଥିବା ଏକ କମ୍ପାନି ବିରୋଧରେ ସେନା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ମାଇ ଡ୍ରିମ ଷ୍ଟୋର ନାମକ ଏହି କମ୍ପାନି ଅନଲାଇନରେ ଭାରତୀୟ ସେନାର ସଂକେତ ଥିବା ବିଭିନ୍ନ ପ୍ରକାରର ଟିସାର୍ଟ ବିକ୍ରି କରୁଥିଲା । ନିଜର ଏସବୁ ସାମଗ୍ରୀର ପ୍ରଚାର ପାଇଁ କମ୍ପାନି ଫେସବୁକ, ଇନଷ୍ଟାଗ୍ରାମ ଆଦି ସୋସିଆଲ ମିଡିଆର ସାହାରା ନେଉଥିଲା । ଏହା ଭାରତୀୟ ସେନାର ଦୃଷ୍ଟିକୁ ଆସିବା ପରେ କମ୍ପାନିକୁ ସେନା ପକ୍ଷରୁ ଏକ ନୋଟିସ ପଠାଯାଇଛି । ଏ ସଂପର୍କରେ ସେନା ପକ୍ଷରୁ କୁହାଯାଇଛି ଯେ ଭାରତୀୟ ସେନାର ସଂକେତ ବ୍ୟବହାର କରିବା ପାଇଁ କାହାରିକୁ ଅନୁମତି ଦିଆଯାଇନାହିଁ । ଏପରି କରୁଥିବା ସଂସ୍ଥା ଆଇନ ଅନୁସାରେ ଦଣ୍ଡିତ ହେବେ ।

ସମ୍ବନ୍ଧିତ ଖବର