ବଢୁଛି ସୁରକ୍ଷା ଚିନ୍ତା, ସେନା ପାଇଁ କିଣାହେବ ୭.୪ ଲକ୍ଷ ଆସଲ୍ଟ ରାଇଫଲ୍‌, ୧୬,୫୦୦ ଲାଇଟ୍‌ ମେସିନ ଗନ୍‌

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନକୁ ଲାଗିଥିିବା ସୀମାରେ ଉତ୍ତେଜନା ଓ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଭାରତୀୟ ସେନାର ଆଧୁନିକୀକରଣ ବିଗତ କିଛି ବର୍ଷ ଧରି ଧୀମେଇ ଯାଇଥିଲା । ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବକୁ ନେଇ ସେନା ସମସ୍ୟାରେ ଥିଲା । କିନ୍ତୁ ଏବେ ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ସରକାର ସେନା ପାଇଁ ୭.୪ ଲକ୍ଷ ନୂଆ ଆସଲ୍ଟ ଲାଇଫଲ ଓ ୧୬,୫୦୦ ଲାଇଟ ମେସିନ ଗନ (ଏଲଏମଜି ) ଖରିଦ କରିବାକୁ ସବୁଜ ସଂକେତ ଦେଇଛନ୍ତି । ଏଗୁଡ଼ିକର ମୋଟ ମୂଲ୍ୟ ୧୫,୯୩୫ କୋଟି ଟଙ୍କା ହେବ । ଭବିଷ୍ୟତର ଆହ୍ଵାନର ମୁକାବିଲା ଲାଗି ସେନାକୁ ପ୍ରସ୍ତୁତ କରିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଖରିଦ ପରିଷଦ ତରଫରୁ ଏହି ଖରିଦକୁ ମଂଜୁରୀ ଦିଆଯାଇଛି । ଏହି ଖରିଦ ପାଇଁ ଖୁବ ଶୀଘ୍ର ଗ୍ଲୋବାଲ ଟେଣ୍ଡର ଆହ୍ଵାନ କରାଯିବ । ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କମ୍ପାନିଗୁଡିକ ଠାରୁ ଟେକନିକାଲ ଓ ଫାଇନାନ୍ସିଆଲ ଟେଣ୍ଡର ଆହ୍ଵାନ କରାଯିବ । ତେବେ ଏସବୁ ପ୍ରକ୍ରିୟା ଶେଷ ହୋଇ ସେନା ପାଖକୁ ରାଇଫଲ ଆସିବାବେଳକୁ ବେଶ କିଛି ବର୍ଷ ଲାଗିଯିବ । ତେବେ ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ୧୬,୫୦୦ ଲାଇଟ୍‌ ମେସିନ ଗନ ଖରିଦ କରାଯିବ । ଏଗୁଡ଼ିକର ମୋଟ ମୂଲ୍ୟ ୧୮୧୯ କୋଟି ଟଙ୍କା ହେବ । ଯଦିଓ ପ୍ରତିରକ୍ଷା ବାହିନୀର ୩ଟି ଅଂଗ ସେନା, ବାୟୁସେନା ଓ ନୌସେନା ପାଇଁ ମୋଟ ୪୩,୭୩୨ଟି ଏଲଏମଜି ଆବଶ୍ୟକ, ଚୀନ ଓ ପାକିସ୍ତାନ ସୀମାରେ ତୁରନ୍ତ ଆବଶ୍ୟକତା ମେଣ୍ଟାଇବା ପାଇଁ ଏହି ୧୬,୫୦୦ଟି ଏଲଏମଜି ବ୍ୟବହାର ହେବ ।

ସମ୍ବନ୍ଧିତ ଖବର