ଇଂଲଣ୍ଡ ବିଶ୍ୱବିଦ୍ୟାଳୟରେ ପଢୁଥିବା ଝିଅ ପାଇଁ ୧୨ ଜଣ କର୍ମଚାରୀ ଆବଶ୍ୟକ କରୁଛନ୍ତି ଭାରତୀୟ କୋଟିପତି

ଲଣ୍ଡନ୍‌: ଏ ମାସରେ ସେଣ୍ଟ୍‌ ଆଣ୍ଡ୍ରିଉଜ୍‌ ଇଉନିଭର୍ସିଟିରେ ଚାରି ବର୍ଷିଆ କୋର୍ସ ଆରମ୍ଭ କରୁଥିବା ନିଜ ଝିଅର ତତ୍ତ୍ୱ ନେବା ନିମନ୍ତେ ଜଣେ ଭାରତୀୟ କୋଟିପତି ୧୨ ଜଣ ସେବକ ଆବଶ୍ୟକ ବୋଲି ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ବିଜ୍ଞାପନଟି ବ୍ରିଟିସ୍‌ ଘରୋଇ ଇଷ୍ଟେଟ୍‌ ନିମନ୍ତେ କର୍ମଚାରୀ ଖୋଜି ଦେବାରେ ସ୍ୱତନ୍ତ୍ରତା ହାସଲ କରିଥିବା ‘ସିଲ୍‌ଭର୍‌ ସ୍ୱାନ୍‌ ରିକୃଇଟ୍‌ମେଣ୍ଟ୍‌’ ପୋଷ୍ଟ୍‌ କରିଛି। ସେ ବିଜ୍ଞାପନରେ ଉଲ୍ଲେଖ କରାଯାଇଛି ଯେ ନିକଟବର୍ତ୍ତୀ ଏକ ଅଟ୍ଟାଳିକାରେ ବାସ କରିବାକୁ ଥିବା ନିଜ ଝିଅର ତତ୍ତ୍ୱ ନେବା ପାଇଁ ଜଣେ ଭାରତୀୟ ପରିବାର ଜଣେ ମୁଖ୍ୟ ସେବକ, ଜରେ ମାଳୀ, ତିନିଜଣ ସଫେଇ କର୍ମଚାରୀ, ଜଣେ ଘର ପରିଚାଳକ, ଜଣେ ସେବିକା, ଜଣେ କାର୍‌ ଚାଳକ, ଜଣେ ରୋଷେୟା ଏବଂ ତିନିଜଣ ଟହଲିଆ ଆବଶ୍ୟକ।

ଜଣେ ଖୁସିବାସିଆ ଏବଂ ଚଳଚଞ୍ଚଳ ସେବିକା କାମର ବର୍ଣ୍ଣନା ଏମିତି ଦିଆ ଯାଇଛି: ସେ ପ୍ରିନ୍‌ସିପାଲ୍‌ଙ୍କୁ ନିଦରୁ ଉଠାଇବ, ରୁଟିନ୍‌ ଓ ସ୍କିଡ୍ୟୁଲ୍‌ ସମ୍ବନ୍ଧରେ ଅନ୍ୟ କର୍ମଚାରୀମାନଙ୍କ ସହ ଯୋଗସୂତ୍ର ରକ୍ଷା କରିବ, ବେଶପୋଷାକ ସମୟରେ ସହାୟତା କରିବ, ଓ୍ଵାଡ୍‌ରବ୍‌ର ପରିଚାଳନା କରିବ ଏବଂ ବ୍ୟକ୍ତିଗତ ଜିନିଷ କ୍ରୟ କରିବ।

ଟହଲିଆମାନେ ଖାଦ୍ୟ ପରିବେଷଣ କରିବେ, ଟେବୁଲ୍‌ ପକାଇବେ ଏବଂ ଘରଦ୍ୱାର ପରିଷ୍କାର ରଖିବେ।

ଯେତେବେଳେ ସମ୍ଭବ ସେମାନେ ଛାତ୍ରଛାତ୍ରୀଙ୍କ ପାଇଁ କବାଟ ଖୋଲି ଦେବେ ବୋଲି ବିଜ୍ଞାପନରେ ପ୍ରକାଶ ପାଇଛି। ଏହି କର୍ମଚାରୀମାନଙ୍କ ନିମନ୍ତେ ବାର୍ଷିକ ୨୮ ଲକ୍ଷ ଟଙ୍କା ଦରମା ଧାର୍ଯ୍ୟ କରାଯାଇଛି। ବିଜ୍ଞାପନରେ କୁହାଯାଇଛି କି, ପରିବାର ଭାରି ରୀତିନିତି ଜଗୁଥିବାରୁ ଅଭିଜ୍ଞ କର୍ମଚାରୀ ଆବଶ୍ୟକ। ସେ ଘରେ ପରିବାରର ଅନ୍ୟ ସଦସ୍ୟମାନେ କେବେ କେମିତି ଆସି ରହିବେ।

ଇଂଲଣ୍ଡରେ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷ ଅଧ୍ୟୟନ ସମୟରେ ହଲ୍‌ ଅଫ୍‌ ରେସିଡେନ୍‌ସ୍‌ରେ ରହନ୍ତି ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକରେ ଅନ୍ୟମାନଙ୍କ ସହ ଘର ସେୟାର୍‌ କରି ରହନ୍ତି। ଅଧିକାଂଶ ଛାତ୍ରଛାତ୍ରୀ ସୀମିତ ବଜେଟ୍‌ରେ ଯଥା ସମ୍ଭବ ସ୍ୱଳ୍ପ ଖର୍ଚରେ ଚଳନ୍ତି।

ସମ୍ବନ୍ଧିତ ଖବର