ସାଂସ୍କୃତିକ ଶକ୍ତିରେ ଭାରତକୁ ଟପିବା ସହଜ ନୁହେଁ : ଚୀନ ବୁଦ୍ଧିଜୀବି

ବେଜିଂ: ସାମରିକ ଶକ୍ତି, ଅର୍ଥନୈତିକ ଶକ୍ତି କ୍ଷେତ୍ରରେ ଚୀନ ଭାରତଠାରୁ ବହୁ ଆଗୁଆ ରହିଥିବାବେଳେ ସଫ୍ଟପାଓ୍ଵାର ବା ସାଂସ୍କୃତିକ ଶକ୍ତିରେ ଭାରତ ଚୀନଠାରୁ ବେଶ ଆଗରେ ରହିଛି । ଏ କଥା ଆମେ କହୁନାହୁଁ, ଏକଥା କହୁଛନ୍ତି ଚୀନର ବୁଦ୍ଧିଜୀବିମାନେ ।

ଚୀନ ସମ୍ବାଦପତ୍ର ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ଲେଖାରେ କୁହାଯାଇଛି ଯେ ସାମରିକ ଶକ୍ତି ଓ ଅର୍ଥନୈତିକ ଶକ୍ତିରେ ଭାରତଠାରୁ ଚୀନ ବହୁ ଆଗୁଆ ରହିଛି । କିନ୍ତୁ ସାଂସ୍କୃତିକ ଶକ୍ତି କ୍ଷେତ୍ରରେ ଭାରତ ମୁକାବିଲା ଚୀନ କରିପାରୁନାହିଁ । ଭାରତର ସାଂସ୍କୃତିକ ଶକ୍ତିର ପ୍ରଭାବ ଏବେ ସାରା ବିଶ୍ୱରେ ବଢିବାରେ ଲାଗିଛି । ଏପରିକି ଚୀନର ଲୋକମାନେ ମଧ୍ୟ ଭାରତୀୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହେଉଛନ୍ତି । ବିଗତ କିଛି ବର୍ଷ ମଧ୍ୟରେ ଯୋଗ ସାରା ବିଶ୍ୱରେ ଭାରତକୁ ସୁପରିଚିତ କରାଇଛି । ଅତ୍ୟନ୍ତ ଚତୁରତାର ସହ ଭାରତ ଯୋଗକୁ ଏକ ଧାର୍ମିକ କାର୍ଯ୍ୟ ନୁହେଁ ବରଂ ଏକ ସ୍ୱାସ୍ଥ୍ୟକର ବ୍ୟାୟାମ ଭାବେ ପ୍ରଚାର କରାଯାଉଛି । ଚୀନର ବଡ଼ ବଡ଼ ସହର କଥା ଛାଡନ୍ତୁ, ଛୋଟ ସହରଗୁଡ଼ିକରେ ମଧ୍ୟ ଯୋଗ କେନ୍ଦ୍ର ମାନ ଛତୁ ଫୁଟିଲା ପରି ଖୋଲୁଛି । ଏହାକୁ ସ୍କୁଲ ଶିକ୍ଷାରେ ମଧ୍ୟ ସାମିଲ କରାଯାଉଛି । ଭାରତର ଆଉ ଏକ ସାଂସ୍କୃତିକ ଅସ୍ତ୍ର ହେଉଛି ବଲିଉଡ଼ । ଚୀନରେ ବଲିଉଡ ଧୀରେ ଧୀରେ ନିଜର କାୟା ବିସ୍ତାର କରୁଛି । ବିଗତ କିଛି ବର୍ଷ ମଧ୍ୟରେ ଅନେକ ବଲିଉଡ ଫିଲ୍ମ ଚୀନରେ ରିଲିଜ ହୋଇ ସଫଳତା ହାସଲ କରିଛି ।ଏହା ଦ୍ୱାରା ଚୀନ ଲୋକମାନଙ୍କ ମନରେ ଭାରତୀୟଙ୍କ ପ୍ରତି ସମ୍ମାନ ବଢୁଛି ।

ସମ୍ବନ୍ଧିତ ଖବର