ଆତଙ୍କବାଦୀ ନିପାତ ପାଇଁ ଏହି ମାରାତ୍ମକ ଡ୍ରୋନ ତିଆରି କଲେ ଭାରତୀୟ ଯୁବ ଇଂଜିନିୟର

ଜଳନ୍ଧର : ବିଶ୍ୱରେ ଆତଙ୍କବାଦୀ ସମସ୍ୟା ଦିନକୁ ଦିନ ଗୁରୁତର ହୋଇଛି । ଆତଙ୍କବାଦ ସର୍ବାଧିକ ଶିକାର ହୋଇଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ପ୍ରାୟ ପ୍ରତ୍ୟେକ ଦିନ ଆମ ଦେଶରେ ଆତଙ୍କବାଦୀ ଘଟଣା, ସୀମାପାର ଅନୁପ୍ରବେଶ ଆଦି ଘଟୁଛି । ଏଥିରେ ଆମ ସୁରକ୍ଷାବାହିନୀର ଜବାନ ମଧ୍ୟ ସହିଦ ହେଉଛନ୍ତି । ଏହାକୁ ଦେଖି ଜଳନ୍ଧରର ଏକ ଯୁବ ଇଂଜିନିୟର ଏକ ସ୍ୱତନ୍ତ୍ର ଡ୍ରୋନ ପ୍ରସ୍ତୁତ କରିଛି । ଏହି ଡ୍ରୋନର ନାଁ ହେଉଛି ଫୋଟୋନ-୧ ।

ଏହାର ବିଶେଷତ୍ୱ ହେଉଛି, ଯେ ଏହା ଆକାଶ ମାର୍ଗରୁ ଆତଙ୍କବାଦୀମାନଙ୍କୁ ଠାବ କରିପାରିବ ଓ ସେମାନଙ୍କୁ ଗୁଳି କରିପାରିବ । ଏହି ଡ୍ରୋନ ପ୍ରସ୍ତୁତ କରିଥିବା ଯୁବ ଇଂଜିନିୟର ଇଶାନ ଅଗ୍ରଓ୍ଵାଲ କହିଛନ୍ତି ଯେ ୨୪ ଘଣ୍ଟା ପାଇଁ ଏହି ଡ୍ରୋନକୁ ପ୍ରହରା କାମରେ ମୃତୟନ କରାଯାଇପାରିବ । ପ୍ରାୟ ୧ କିଲୋମିଟର ଦୂରରୁ ଏହା ସଂଦୀଗ୍ଧ ବ୍ୟକ୍ତିକୁ ଠାବ କରିପାରିବ ଓ ଅନୁପ୍ରବେଶ ସଂପର୍କରେ ତାହା କଣ୍ଟ୍ରୋଲ ରୁମକୁ ଖବର ଦେବ । କଣ୍ଟ୍ରୋଲ ରୁମରୁ ନିର୍ଦ୍ଦେଶ ମିଳିବା ପରେ ଏହି ଧରଣର ଆଉ ଏକ ସଶସ୍ତ୍ର ଡ୍ରୋନ ଉକ୍ତ ବ୍ୟକ୍ତି ଉପରକୁ ଗୁଳି ଚଳାଇପାରିବ । ଅସ୍ତ୍ରଶସ୍ତ୍ର ଲୋଡ ହୋଇଥିବା ଡ୍ରୋନ ମାତ୍ର ୫ ମିନିଟରେ ୭-୮ କିଲୋମିଟର ଯାଇପାରିବ । ଏହି ଡ୍ରୋନରେ ପ୍ରାୟ ୧୫ କିଲୋଗ୍ରାମର ଅସ୍ତ୍ର ଲୋଡ କରାଯାଇପାରିବ । ଏହାର ସବୁଠୁ ବଡ଼ ବିଶେଷତ୍ୱ ହେଲା ଏହାର କ୍ଷୁଦ୍ର ଆକାର ଓ ଏହା ଭୂମିଠାରୁ ୫ରୁ ୮ କିଲୋମିଟର ଉପରେ ଅତି କମ ଶବ୍ଦରେ ଉଡିପାରିବ । ଏଣୁ ଏହା ଶତ୍ରୁର ନଜରରୁ ଲୁଚିପାରିବ ।

ସମ୍ବନ୍ଧିତ ଖବର