ଆମାଜନ୍‌ର ‘ଆଲେକ୍ସା’ ଉଦ୍ଭାବନ କରିଛନ୍ତି ଏହି ଭାରତୀୟ ଇଂଜିନିୟର

ରାଞ୍ଚି: ବର୍ତ୍ତମାନ୍‌ ଆଲେକ୍ସା ଭାରତରେ ଏବଂ ବିଶ୍ୱର ବିଭିନ୍ନ ଦେଶରେ ବେଶ୍‌ ଲୋକପ୍ରିୟ ହୋଇଉଠିଛି। କଣ୍ଠସ୍ୱରରୁ ପରିଚୟ ଯାଞ୍ଚ କରୁଥିବା ବା ଭଏସ୍‌ ରେକଗ୍‌ନିସନ୍‌ ମଡୁଲ ଆଲେକ୍ସା ଏବେ ସାରା ବିଶ୍ୱରେ ଗ୍ରହଣୀୟ ହୋଇପଡ଼ିଛି। ଆମଜନ୍‌ର ଆଲେକ୍ସା ନିର୍ମାଣ କରିବା ପଛରେ କାହାର ଚିନ୍ତାଧାରା ଅଛି ଆପଣ ଜାଣନ୍ତି କି? ଆଲେକ୍ସା ହେଉଛି ଝାଡଖଣ୍ଡର ରାଜଧାନୀ ରାଞ୍ଚିର ବାସିନ୍ଦା ରୋହିତ ପ୍ରସାଦଙ୍କ ମାନସ ପ୍ରସୁତ ଚିନ୍ତାଧାରାର ପରିପ୍ରକାଶ।

ବର୍ତ୍ତମାନ ଆମାଜନର ସହାୟକ କମ୍ପାନି ଆଲେକ୍ସା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଭାଇସ ପ୍ରେସିଡେଣ୍ଟ ତଥା ମୁଖ୍ୟବୈଜ୍ଞାନିକ ଭାବେ ଅବସ୍ଥାପିତ ରୋହିତ ପ୍ରସାଦ ଜଣେ ଭାରତୀୟ ଓ ରାଞ୍ଚିର ବାସିନ୍ଦା। ବିଜ୍ଞାନ ପ୍ରଯୁକ୍ତି କ୍ଷେତ୍ରରେ ବ୍ୟାବସାୟିକ ସଫଳତା ହାସଲ କରିଥିବା ବିଶ୍ୱର ଶ୍ରେଷ୍ଠ ୧୦୦ ବୈଜ୍ଞାନିକଙ୍କ ମଧ୍ୟରେ ୧୫ ତମ ସ୍ଥାନରେ ଅଛନ୍ତି ରୋହିତ୍‌। ରିକୋର୍ଡ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ରୋହିତ୍‌ଙ୍କୁ ୧୫ ତମ ସ୍ଥାନ ଦିଆଯାଇଛି।

ରୋହିତ ଯଦିଓ ବେଶ୍‌ କିଛି ବର୍ଷ ହେବ ବିଦେଶରେ ରହୁଛନ୍ତି, କିନ୍ତୁ ପ୍ରତି ୬ ମାସରେ ଥରେ ରାଞ୍ଚି ଆସି ପରିବାରକୁ ଭେଟିଥାଆନ୍ତି। ସେ ରାଞ୍ଚିର ଡିଏଭି ସ୍କୁଲରେ ପଢିବା ସହ ଝାଡଖଣ୍ଡର ମେର୍‌ସାରେ ଥିବା ବିରଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିର ଛାତ୍ର। ଏହାପରେ ସେ ବିଦେଶରେ ଇଂଜିନିୟରିଂରେ ପୋଷ୍ଟ ଗ୍ରାଜୁଏସନ୍‌ କରିବା ସହ ମାସାଚ୍ୟୁଟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଏମ୍‌ବିଏ କରିଥିଲେ। ଶିକ୍ଷା ସମାପ୍ତି ପରେ ରୋହିତ୍‌ ଚାକିରି ଜୀବନ ଆରମ୍ଭ କରିଥିଲେ। ୨୦୧୩ରେ ରୋହିତ୍‌ ଆମାଜନ୍‌ରେ ଜଣେ ଇଂଜିନିୟର ଭାବେ ଯୋଗଦାନ କରିଥିଲେ। ମାତ୍ର ୫ ବର୍ଷ ଭିତରେ ସେ ନିଜକୁ ଜଣେ ଉଦ୍ଭାବକରେ ପରିଣିତ କରିଥିଲେ। ‘ଆଲେକ୍ସା’ ହେଉଛି ତାଙ୍କର ସବୁଠାରୁ ଲୋକପ୍ରିୟ ଉଦ୍ଭାବନ।

ସମ୍ବନ୍ଧିତ ଖବର