ଆଫଗାନିସ୍ତାନରେ ଅପହୃତ ହୋଇଥିବା ଭାରତୀୟ ଇଞ୍ଜିନିୟରମାନଙ୍କୁ ନଛାଡ଼ିବା ପାଇଁ ଆଇଏସ୍‌ଆଇର ତାଲିବାନ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅପହୃତ ହୋଇଥିବା ଭାରତୀୟ ଇଞ୍ଜିନିୟରମାନଙ୍କୁ ନେଇ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଭାରତୀୟ ଇଞ୍ଜିନିୟରମାନଙ୍କୁ ନ ଛାଡ଼ିବା ପାଇଁ ତାଲିବାନ୍‌କୁ କହିଛି। ଅପହୃତ ହୋଇଥିବା ଭାରତୀୟ ଇଞ୍ଜିନିୟରଙ୍କୁ  ଆଫଗାନିସ୍ତାନର ବଗଲାନ୍‌ର ପୁଲ-ଇ ଖୁମରି ସହରର ଡାଣ୍ଡ-ଇ ସହାବୁଦ୍ଦିନ୍‌ ଗ୍ରାମରେ ବନ୍ଧକ ବନାଇ ରଖାଯାଇଛି। ଏହି ଗ୍ରାମଟି ତାଲିବାନ୍‌ କବଜାରେ ରହିଛି। ଏ ନେଇ ଆଫଗାନିସ୍ତାନର ସରକାରୀ ଅଧିକାରୀ ଓ ସେନା ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି। ତାଲିବାନ୍‌ ଆତଙ୍କବାଦୀଙ୍କ ସହିତ ଆଲୋଚନା କରିବାକୁ ସ୍ଥାନୀୟ ଆଦିବାସୀ ନେତାଙ୍କ ସାହାଯ୍ୟ ନିଆଯାଉଛି। କାରଣ ଭାରତୀୟ ଇଞ୍ଜିନିୟରମାନଙ୍କୁ ଛାଡ଼ିବା ସୁନିଶ୍ଚିତ ହୋଇପାରୁନାହିଁ।

ଉଲ୍ଲେଖଯୋଗ୍ୟ, ବନ୍ଧୁକଧାରୀ ବାଗଲାନ୍‌ ପ୍ରାନ୍ତର ରାଜଧାନୀ ପୁଲ-ଏ- ଖୋମରେର ବାଗ-ଏ-ସାମଲ ଗ୍ରାମରୁ ୭ଜଣ ଭାରତୀୟ କର୍ମଚାରୀଙ୍କୁ ଅପହରଣ କରି ନେଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ମୁତାବକ, ଏହି ଘଟଣା ସେତେବେଳେ ଘଟିଲା ଯେତେବେଳେ କର୍ମଚାରୀ ଏକ ମିନି ବସ୍‌ରେ ସ୍ଥାନୀୟ ଅଞ୍ଚଳରେ ଗସ୍ତ କରୁଥିଲେ। ଏଠାରେ ସ୍ଥାନୀୟ କମ୍ପାନିକୁ ଏକ ଇଲେକ୍ଟ୍ରିସିଟି ସବ୍‌-ଷ୍ଟେସନ୍‌ର କଣ୍ଟ୍ରାକ୍ଟ ମିଳିଛି। ବାଗଲାନ୍‌ ପ୍ରାନ୍ତରେ ଘଟିଥିବା ଏହି ଘଟଣା ପଛରେ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ର ହାତ ଥିବା ସନ୍ଦେହ କରାଯାଉଛି। କିନ୍ତୁ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ ଏ ନେଇ କୌଣସି ବୟାନ ଆସିନାହିଁ କି ଏଯାବତ୍‌ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଘଟଣାରେ ସାମିଲ ଥିବା ନେଇ ସ୍ପଷ୍ଟ ହୋଇ ପାରିନାହିଁ। ଅପହରଣକାରୀ ମାନେ ସରକାରୀ କର୍ମଚାରୀ ମନେ କରି ଭାରତୀୟ ଇଂଜିନିୟରମାନଙ୍କୁ ଅପହରଣ କରିଥିବା ଜଣାପଡିଛି। ଭାରତୀୟ ଇଂଜିନିୟରମାନେ ଆଫଗାନିସ୍ତାନର ଏକ ପାୱାର ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର