ଭାରତରେ, ଆଇଏସ୍‌ ଶାଖା! ୯ ସନ୍ଦିଗ୍ଧ ଗିରଫ

ମୁମ୍ବାଇ: ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଏବେ ଦେଶରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ଆଇଏସ୍‌ ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଜଣାପଡ଼ିଛି। ଭାରତର ବିଭିନ୍ନ ପ୍ରମୁଖ ସହର ଗୁଡ଼ିକରେ ଆଇଏସ୍‌ ଶାଖା କାର୍ଯ୍ୟ କରୁଥିବା ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିବାପରେ ଏବେ ଜୋରଦାର ତଲାସି ଆରମ୍ଭ ‌ହୋଇଛି। ଆଜି ଏହି ଆଇଏସ୍‌ ଲିଙ୍କ୍‌ ନେଇ ୯ ସନ୍ଦିଗ୍ଧଙ୍କୁ ଗିରଫ କରିଛି ମହାରାଷ୍ଟ୍ର ଏଟିଏସ୍‌ (ଆତଙ୍କବାଦୀ ନିରୋଧ ଦଳ)। ଆଇଏସ୍‌ ଆତଙ୍କବାଦୀ ଶାଖା ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରିଥିବା‌ ନେଇ ଗୁଇନ୍ଦା ସୁତ୍ରରୁ ଖବର ପାଇ ଆଜି ମହାରାଷ୍ଟ୍ର ଏଟିଏସ୍‌ ଦଳ ମହାରାଷ୍ଟ୍ରର ମୁମ୍ବାଇ, ଥାନେ ଏବଂ ଔରଙ୍ଗାବାଦ୍‌ର ୫ଟି ସ୍ଥାନରେ ଚଢ଼ଉ କରି ଜଣେ ନାବାଳକଙ୍କ ସମେତ ସମୁଦାୟ ୯ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ କେମିକାଲ୍‌, ବିସ୍ଫୋରକ, ମୋବାଇଲ୍‌ ଫୋନ୍‌, ହାର୍ଡ ଡ୍ରାଇଭ୍‌, ସିମ୍‌ କାର୍ଡ, ଏସିଡ ବୋତଲ ଓ ଛୁରି ଆଦି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ସଲମାନ୍‌ ଖାନ୍‌, ଫହଦ ଶାହ, ଜାମେନ କୁଟେପଡ଼ି, ମୋହସିନ୍‌ ଖାନ୍‌, ମହମ୍ମଦ ମଝାର ସେଖ୍‌, ଟାକି ଖାନ୍‌, ସରଫରାଜ୍‌ ଅହମଦ, ଜାହିଦ ଶେଖ୍‌ ଭାବେ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷେ ନାବାକଳଙ୍କ ପରିଚୟ ପ୍ରକାଶ ‌କରାଯାଇନି। ଏଟିଏସ୍‌ ସୂତ୍ରରୁ ଜଣାଯାଇଛି ଯେ ଉକ୍ତ ୯ ଜଣଙ୍କ ମଧ୍ୟରୁ ସଲମାନ୍‌, ମୋହସିନ୍‌ ଏବଂ ଟାକି ଖାନ୍‌ ୩ ଭାଇ। ଏମାନଙ୍କ ପ୍ରମୁଖ କାର୍ଯ୍ୟ ଥିଲା ଯୁବପିଢ଼ିମାନଙ୍କୁ ଆତଙ୍କବାଦୀ ରାସ୍ତାରେ ଆଣିବାପାଇଁ ଅନୁପ୍ରାଣିତ କରିବା। ଉକ୍ତ ୩ ଭାଇଙ୍କ ମଧ୍ୟରେ ମୋହସିନ୍‌ ସବୁଠୁ ବଡ଼ ଏବଂ ସେ ସ୍ଥାନୀୟ ଶାଖାର ସବୁ ସଦସ୍ୟଙ୍କୁ ପରିଚାଳିତ କରୁଥିଲା। ମହମ୍ମଦ ମଝାର ସେଖ୍‌ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲା। ଜା‌ମେନ କୁଟେପଡ଼ି ମେଡିକାଲ୍‌ ରିପ୍ରେଜେଣ୍ଟେଟିଭ୍‌ କାର୍ଯ୍ୟ କରୁଥିଲା ଏବଂ ତା’ର କେମିକାଲ ଉପରେ ଧାରଣା ଥିବାରୁ ତାକୁ କେମିକାଲ ଆକ୍ରମଣ ପାଇଁ ନିୟୋଜିତ କରାଯାଇଥିବା ଏଟିଏସ୍‌ ଦାବି କରିଛି। ଅନ୍ୟଜଣେ ଅଭିଯୁକ୍ତ ସରଫରାଜ୍‌ ଅହମଦ ମସଜିଦ୍‌ ଗୁଡ଼ିକରେ ଯୁବକଙ୍କୁ ଚିହ୍ନଟ କରୁ୍‌ଥିଲା ଏବଂ ସେମାନଙ୍କୁ ଆତଙ୍କବାଦର ରାସ୍ତା ବାଛିବା ପାଇଁ ଅନୁପ୍ରାଣିତ କରୁଥିଲା।

ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୧୨୦ ବି ଅଧୀନରେ ମାମଲା ରୁଜୁ ହୋଇଛି। ଉକ୍ତ ୯ ସନ୍ଦିଗ୍ଧ ‌‌କାର୍ଯ୍ୟକ୍ରମ ଓ ଗତିବିଧି ସମ୍ପର୍କରେ ଏବେ ଏଟିଏସ୍‌ ତଦନ୍ତ ଆରମ୍ଭ କରି ଦେଇଛି। ଉଲ୍ଲେଖଯୋଗ୍ୟ ଗତ ସପ୍ତାହରେ ଏହି ଆଇଏସ୍‌ ଲିଙ୍କ୍‌ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରିଥିଲା। ଜାନୁଆରି ୫ରେ ମଧ୍ୟ ଏନ୍‌ଆଇଏ ଜଣେ ୨୧ ବର୍ଷୀୟ ଯୁବକଙ୍କୁ ଆଇଏସ୍‌ ଶାଖାକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଥିବା ମାମଲାରେ ଗିରଫ କରିଥିଲା। ସେହିପରି ଡିସେମ୍ବର ୨୬ରେ ଏନ୍ଆଇଏ ୧୭ ଟି ସ୍ଥାନରେ ଚଢ଼ଉ କରି ୧୦ ଜଣଙ୍କୁ ଗିରଫ କରିଥିଲା ଏବଂ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଥିଲା।

ସମ୍ବନ୍ଧିତ ଖବର