ପାକିସ୍ତାନର ଆଇଏସ୍‌ଆଇକୁ ଗୁରୁତ୍ୱପୂର୍ଣ୍ଣ ନଥିପତ୍ର ବିକି ଭାରତୀୟ କୂଟନୀତିଜ୍ଞଙ୍କ ଘରେ ରୋଷେୟା ଥିବା ଭାରତୀୟ ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ: ପାକିସ୍ତାନ ସ୍ଥିତ ଭାରତୀୟ ଦୂତାବାସରେ ଅବସ୍ଥାପିତ ଜନୈକ ଭାରତୀୟଙ୍କ କୂଟନୀତିଜ୍ଞଙ୍କ ଘରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ଜନୈକ ଭାରତୀୟ ବ୍ୟକ୍ତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ଅର୍ଥ ବିନିମୟରେ ଗୁରୁତ୍ୱପୂର୍ଣ୍ଣ ଓ ଗୋପନୀୟ ନଥିପତ୍ର ବିକୁଥିବା ଅଭିଯୋଗରେ ଗତକାଲି ଉତ୍ତରାଖଣ୍ଡରୁ ଗିରଫ ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରାଖଣ୍ଡର ପିଠୋରାଗଡ଼ ଜିଲ୍ଲା ଅନ୍ତର୍ଗତ ଗରାଲି ଗ୍ରାମର ବାସିନ୍ଦା ରମେଶ ସିଂହ (୩୫) ପାକିସ୍ତାନ ସ୍ଥିତ ଭାରତୀୟ ଦୂତାବାସରେ ପ୍ରତିରକ୍ଷା କୂଟନୀତିଜ୍ଞଙ୍କ ପାକିସ୍ତାନ ସ୍ଥିତ ବାସଭବନରେ ୨୦୧୫ରୁ ୨୦୧୭ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ରମେଶକୁ ଅର୍ଥଲୋଭ ଦେଖାଇ ତାକୁ ସେମାନଙ୍କ ଜାଲରେ ଫସାଇ ଥିଲେ। ପରେ, ସେମାନେ ରମେଶକୁ ବିପୁଳ ଅର୍ଥ ଦେବା ସହ ତା’ ଜରିଆରେ ସଂପୃକ୍ତ ଭାରତୀୟ କୂଟନୈତିକଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ, ସରକାରୀ ଚିଠି, ଅନ୍ୟ ଦସ୍ତାବିଜ୍‌ ସମେତ ନୋଟ୍‌ବୁକ୍‌ ଓ ଡାଇରିକୁ ମଧ୍ୟ ହାତେଇ ନେଇଥିଲେ।

ପରେ ଘଟଣା ସଂପର୍କରେ ସୁରାକ୍‌ ପାଇବା ପରେ ଭାରତୀୟ ପ୍ରତିରକ୍ଷା ଗୁଇନ୍ଦା ବିଭାଗ ପକ୍ଷରୁ ଉତ୍ତରାଖଣ୍ଡ ପୁଲିସ୍‌ ଡିଜି ଓ ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ଼ର ଆଇଜିଙ୍କୁ ରମେଶର ଗତିବିଧି ଉପରେ ଲକ୍ଷ୍ୟ ରଖିବା ପାଇଁ କୁହାଯାଇଥିଲା। ଗତ ମଙ୍ଗଳବାର ରାତିରେ ରମେଶ ନିଜ ଘରେ ଥିବାବେଳେ ପ୍ରତିରକ୍ଷା ଗୁଇନ୍ଦା ବିଭାଗ, ଉତ୍ତରାଖଣ୍ଡ ପୁଲିସ୍‌ ଓ ଉତ୍ତରପ୍ରଦେଶର ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌)ର ଅଧିକାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ସ୍ୱାର୍ଡ ତା’ ଘର ଉପରେ ଚଢ଼ାଉ କରି ତାକୁ ଗିରଫ କରିଥିଲେ। ତେବେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଓ ଏ ସଂପର୍କରେ ଏବେ ତଦନ୍ତ ଜାରି ରହିଥିବାରୁ ଏସଂପର୍କରେ ଆଉ ଅଧିକ କିଛି ସୂଚନା ଗଣମାଧ୍ୟମକୁ ଦେବାକୁ ଏଟିଏସ୍‌ ଆଇଜି ଅସୀମ୍‌ ଅରୁଣ ମନା କରି ଦେଇଛନ୍ତି।

ସମ୍ବନ୍ଧିତ ଖବର