ଏସି ଟ୍ରେନ୍‌ରୁ ଲକ୍ଷାଧିକ ଟାୱେଲ୍‌, ବେଡ୍‌ସିଟ୍‌ ଗାଏବ

ଯାତ୍ରୀଙ୍କ ଉପରେ ସନ୍ଦେହ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଏସି ଯାତ୍ରୀମାନଙ୍କ ସୁବିଧା ପାଇଁ ଟାୱେଲ୍‌, ବେଡ୍‌ସିଟ୍‌, ତକିଆ ଓ କମ୍ବଳ ଆଦି ଶଯ୍ୟା ସାମଗ୍ରୀ ଯୋଗାଇ ଦେଉଛି। କିନ୍ତୁ ଯାତ୍ରୀମାନେ ଏହାକୁ ବ୍ୟବହାର କରିବା ପରେ ସାଙ୍ଗରେ ନେଇଯାଉଥିବା ସନ୍ଦେହ କରାଯାଉଛି। ନିୟମିତ ଭାବେ ଏଭଳି ଘଟଣା ଘଟୁଥିବାରୁ ରେଳବାଇ ଅତିଷ୍ଠ ହୋଇପଡ଼ିଲାଣି। ୨୦୧୭-୧୮ରେ ଏସି ବଗିଗୁଡ଼ିକରୁ ମୋଟ ୨୧ ଲକ୍ଷରୁ ଅଧିକ ଟାୱେଲ୍‌, ତକିଆ, ବେଡ୍‌ସିଟ୍‌, କମ୍ବଳ ଓ ଅନ୍ୟ ଶଯ୍ୟା ସାମଗ୍ରୀର ପତ୍ତା ମିଳୁନାହିଁ। ଜଣେ ରେଳ ଅଧିକାରୀଙ୍କ କହିବାନୁସାରେ ୨୦୧୭-୧୮‌ରେ ୨୧,୭୨,୨୪୬ ଶଯ୍ୟା ସାମଗ୍ରୀ ଚୋରି ହୋଇଯାଇଛି। ଏଥିରେ ୧୨,୮୩,୪୧୫ ଟାୱେଲ୍‌, ୪,୭୧,୦୭୭ ବେଡ୍‌ସିଟ୍‌ ଓ ୩,୧୪,୯୫୨ ତକିଆ ଖୋଳ, ୫୬,୨୮୭ ତକିଆ, ୪୬,୫୧୫ କମ୍ବଳ ଅନ୍ତର୍ଭୁକ୍ତ। ରେଳବାଇର ବିଭିନ୍ନ ଜୋନ୍‌‌ ଅଧୀନରେ ଚଳାଚଳ କରୁଥିବା ଏସି ‌‌ଟ୍ରେନ୍‌ ବଗିଗୁଡ଼ିକରୁ ଏହା ଚୋରି ହୋଇଯାଇଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ ଚୋରି ହୋଇଯାଇଥିବା ଏହିସବୁ ସାମଗ୍ରୀର ମୂଲ୍ୟ ୧୪ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଆର୍ଥିକ ସଂକଟ ଦେଇ ଗତି କରୁଥିବା ରେଳବାଇ ନିଜ ଆୟ ବଢ଼ାଇବା ପାଇଁ ବିଭିନ୍ନ ବିକଳ୍ପ କଥା ଚିନ୍ତା କରୁଥିବା ବେଳେ ଏତେ ପରିମାଣର ସାମଗ୍ରୀ ଗାଏବ ହେବା ରେଳବାଇ ପାଇଁ ଚିନ୍ତାଜନକ ହୋଇଛି।

ସମ୍ବନ୍ଧିତ ଖବର