ରେଳ ଯାତ୍ରୀଙ୍କ ପାଇଁ ଲଗେଜ୍‌ ଓଜନର ସୀମା ନିର୍ଦ୍ଧାରଣ କଲା ରେଳ ବିଭାଗ; ସଂସଦରେ ସୂଚନା ଦେଲେ ରେଳ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଖୁବ୍‌ଶୀଘ୍ର ରେଳ ଯାତ୍ରୀମାନଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏହି ନୂତନ ନିୟମ ଲାଗୁ ହେଲେ ରେଳଯାତ୍ରୀମାନେ ସାଙ୍ଗରେ ନିର୍ଦ୍ଧିଷ୍ଟ ଓଜନର ଜିନିଷ (ଲଗେଜ୍‌) ନେଇ ଯାଇ ପରିବେ। ଯଦି ସେମାନଙ୍କ ସହିତ ଥିବା ଲଗେଜ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ହୁଏ, ତେବେ ସେମାନେ ଏହାକୁ ରେଳ ବିଭାଗ ପକ୍ଷରୁ ସ୍ଥିରୀକୃତ ଦେୟ ଦେଇ ଟ୍ରେନ୍‌ର ଲଗେଜ୍‌ କ୍ୟାରିୟରରେ ନେଇପାରିବେ।

ଆଜି ସଂସଦର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍‌ ଗୋହାନୀ ଏ ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି। ସଂସଦରେ ମନ୍ତ୍ରୀ ଶ୍ରୀ ଗୋହାନୀ ଦେଇଥିବା ସୂଚନା ଅନୁଯାୟୀ ଏହି ନୂତନ ନିୟମ ଲାଗୁ ହେଲେ, ପ୍ରଥମ ଶ୍ରେଣୀ ଏସିରେ ଯାତ୍ରା କରୁଥିବା ଯାତ୍ରୀମାନେ ସାଙ୍ଗରେ ୭୦ କିଲୋ, ପ୍ରଥମ ଶ୍ରେଣୀ ଏସି ଟୁ-ଟାୟାର ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ୫୦ କିଲୋ, ଏସି ଥ୍ରି-ଟାୟାର ଓ ଏସି ଚେୟାରକାର୍‌ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ୪୦ କିଲୋ ଓ ସ୍ଲିପର ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ୩୫ କିଲୋ ଓଜନର ଲଗେଜ ବିନା କୌଣସି ଦେୟରେ ସାଙ୍ଗରେ ନେଇ ଯାତ୍ରା କରି ପାରିବେ। ଲଗେଜର ଓଜନ ଏହାଠାରୁ ଅଧିକ ହେଲେ ଯାତ୍ରୀମାନେ ତାହାକୁ ରେଳ ବିଭାଗ ପକ୍ଷରୁ ସ୍ଥିରୀକୃତ ଦେୟ ଦେଇ ଟ୍ରେନ୍‌ର ଲଗେଜ୍‌ କ୍ୟାରିୟରରେ ନେଇପାରିବେ।

ତେବେ, ଟ୍ରେନ୍‌ ଯାତ୍ରା କାଳରେ ପ୍ରଥମ ଶ୍ରେଣୀ ଏସିରେ ଯାତ୍ରା କରୁଥିବା ଯାତ୍ରୀମାନେ ସାଙ୍ଗରେ ସର୍ବୋଚ୍ଚ ୧୫୦ କିଲୋ, ପ୍ରଥମ ଶ୍ରେଣୀ ଏସି ଟୁ-ଟାୟାର ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ୧୦୦ କିଲୋ, ଏସି ଥ୍ରି-ଟାୟାର ଓ ଏସି ଚେୟାରକାର୍‌ ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ୪୦ କିଲୋ ଓ ସ୍ଲିପର ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନେ ୮୦ କିଲୋ ଓଜନର ଲଗେଜ୍‌ ନେଇପାରିବେ। ହେଲେ, ଏଥିପାଇଁ ସେମାନଙ୍କୁ ନିର୍ଧାରିତ ଦେୟ ଦେବାକୁ ହେବ।

ସମ୍ବନ୍ଧିତ ଖବର