ରାଜଧାନୀ ଓ ଦୂରନ୍ତ ଏକ୍ସପ୍ରେସରେ ଆଉ ଦେଖିବାକୁ ମିଳିବ ନାହିଁ ଏସି ୨ ଟାୟାର କୋଚ୍‌!

ନୂଆଦିଲ୍ଲୀ: ଏଣିକି ଦେଶରେ ଚଳଚଳ କରୁଥିବା ରାଜଧାନୀ ଓ ଦୂରନ୍ତ ଟ୍ରେନ୍‌ମାନଙ୍କରେ ଏସି ୨ ଟାୟାର କୋଚ୍‌ ବା ବଗି ଆଉ ଦେଖିବା ପାଇଁ ମିଳିବ ନାହିଁ। କାରଣ, ବର୍ତ୍ତମାନ ଦେଶରେ ଚଳାଚଳ କରୁଥିବା ୪୨ଟି ରାଜଧାନୀ ଓ ୫୪ଟି ଦୂରନ୍ତ ଟ୍ରେନ୍‌ରେ ରହିଥିବା ସମସ୍ତ ଏସି ୨ ଟାୟାର କୋଚ୍‌କୁ ଏସି ୩ ଟାୟାର କୋଚ୍‌ରେ ପରିବର୍ତ୍ତନ କରିବା ପାଇଁ ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏବଂ ଯଥାଶୀଘ୍ର ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରେଳ ବିଭାଗକୁ ନିର୍ଦ୍ଦେଶ ଦେଇଛି ରେଳ ମନ୍ତ୍ରାଳୟ।

ଆସନ୍ତା ବର୍ଷକ ମଧ୍ୟରେ ଦେଶର ସମସ୍ତ ୪୨ଟି ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ରହିଥିବା ୨୫୦ଟି ଏସି ୨ ଟାୟାର କୋଚ୍‌କୁ ଏସି ୩ ଟାୟାର କୋଚ୍‌ରେ ପରିବର୍ତ୍ତନ କରିବା ପାଇଁ ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ରେଳ ବିଭାଗର ଜନୈକ ବରିଷ୍ଠ ଅଧିକାରୀ। କାରଣ, ଏହି ସମସ୍ତ ଟ୍ରେନ୍‌ରେ ଏସି ୨ ଟାୟାର ଟିକେଟର ମୂଲ୍ୟ ବିମାନ ଟିକେଟ ମୂଲ୍ୟ ସହ ପ୍ରାୟ ସମାନ ଏବଂ ସ୍ଥଳ ବିଶେଷରେ ବିମାନ ଟିକେଟ ମୂଲ୍ୟ ଠାରୁ ସୁଦ୍ଧା ଅଧିକ ରହୁଛି। ଫଳରେ ଯାତ୍ରୀମାନେ ଏହି ସମସ୍ତ ଟ୍ରେନ୍‌ରେ ଏସି ୨ ଟାୟାର କୋଚ୍‌ରେ ଯାତ୍ରା କରିବା ଅପେକ୍ଷା ଏସି ୩ ଟାୟାରରେ ଯାତ୍ରା କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି।

ଫଳରେ ଏହି ସମସ୍ତ ଟ୍ରେନ୍‌ର ଏସି ୨ ଟାୟାର କୋଚ୍‌ଗୁଡ଼ିକ ଫାଙ୍କା ପଡ଼ୁଥିବା ବେଳେ ଏସି ୩ ଟାୟାର କୋଚ୍‌ ପାଇଁ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଟିକେଟ ଯୋଗାଇ ହେଉନାହିଁ। ଏହି କାରଣ ପାଇଁ ରେଳବାଇକୁ ମଧ୍ୟ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି। ତେଣୁ ଏସମସ୍ତ କାରଣକୁ ଦୃଷ୍ଟରେ ରଖି ରେଳ ମନ୍ତ୍ରାଳୟ, ବର୍ତ୍ତମାନ ଦେଶରେ ଚଳାଚଳ କରୁଥିବା ୪୨ଟି ରାଜଧାନୀ ଓ ୫୪ଟି ଦୂରନ୍ତ ଟ୍ରେନ୍‌ରେ ରହିଥିବା ସମସ୍ତ ଏସି ୨ ଟାୟାର କୋଚ୍‌କୁ ଏସି ୩ ଟାୟାର କୋଚ୍‌ରେ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ସଂପୃକ୍ତ ଅଧିକାରୀ।

ସମ୍ବନ୍ଧିତ ଖବର