ଭାରତୀୟ ଜାହାଜ ମୁକୁଳିଲା:ସମସ୍ତ ୨୨ ନାବିକ ସୁରକ୍ଷିତ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକା ନିକଟ ଗାଏନା ଉପସାଗରର ବେନିନ୍‌ ଉପକୂଳରୁ ୪ ଦିନ ତଳେ ଜଳଦସ୍ୟୁମାନଙ୍କ ଦ୍ୱାରା ଅପହୃତ ହୋଇଯାଇଥିବା ଭାରତୀୟ ତୈଳବାହୀ ଜାହାଜ ‘ଏମ୍‌ଟି ବ୍ୟାରେଟ୍‌’ ମୁକୁଳିଥିବା ଖବର ମିଳିଛି। ଏଥି ସହିତ ଜାହାଜରେ ଥିବା ୨୨ ଜଣ ଯାକ ନାବିକ ମଧ୍ୟ ସୁରକ୍ଷିତ ଅଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଆଜି ଟ୍ଵିଟ୍‌ କରି ଜଣାଇଛନ୍ତି। ଏଥି ପାଇଁ ନାଇଜେରିଆ ଓ ବେନିନ୍‌ ସରକାରଙ୍କ ବୈଦେଶିକ ମନ୍ତ୍ରୀଙ୍କୁ ସୁଷମା ସାଧୁବାଦ ଜଣାଇଛନ୍ତି।

ଅପରପକ୍ଷେ, ଜାହାଜ ଏବଂ ନାବିକମାନଙ୍କୁ ମୁକ୍ତ କରିବା ପାଇଁ ଜଳଦସ୍ୟୁଙ୍କ ସହ କେତେ ପରିମାଣର ଅର୍ଥ କାରବାର ହୋଇଛି ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ସୂଚନା ଥାଉ କି, ମୁମ୍ବାଇ ସ୍ଥିତ ଆଙ୍ଗ୍ଲୋ ଇଷ୍ଟର୍ନ ସିପିଂ କମ୍ପାନିର ଏହି ଜାହାଜଟି ସାଢ଼େ ୧୩ ହଜାର ଟନ୍‌ ପେଟ୍ରୋଲ ଧରି ଯାଉଥିବା ବେଳେ ଶେଷ ଥର ପାଇଁ ଗତ ୧ ତାରିଖରେ ବେନିନ୍‌ର କଟୁନୌ ବନ୍ଦରରେ ଲାଗିଥିବା ଜଣାପଡ଼ିଥିଲା। ତାହା ପରଠାରୁ ଜାହାଜର କୌଣସି ପ୍ରକାର ଖୋଜ୍‌ ଖବର ନଥିଲା।

ସମ୍ବନ୍ଧିତ ଖବର