କରାଚୀରେ ଯକୃତ୍‌ ପ୍ରତିରୋପଣ କରିବେ ଭାରତୀୟ ଡାକ୍ତର

ନୂଆଦିଲ୍ଲୀ: ସୀମାନ୍ତରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଡାକ୍ତର ସୁଭାଷ ଗୁପ୍ତ ନାମକ ଜଣେ ଖ୍ୟାତନାମା ଭାରତୀୟ ସର୍ଜନ ସଦଳବଳେ ଏମାସରେ କରାଚି ଯାଉଛନ୍ତି ତିନି ଚାରିଟି ଯକୃତ୍‌ ପ୍ରତିରୋପଣ କରିବାକୁ।

ଦାଓ ୟୁନିଭର୍ସିଟି ଅଫ୍‌ ହେଲ୍‌ଥ୍‌ ସାଇନ୍‌ସେସ୍‌ ଠାରେ ଡାକ୍ତର ଗୁପ୍ତ ଏହି ଅସ୍ତ୍ରୋପଚାର କରିବେ। ୟୁନିଭର୍ସିଟିର କୁଳପତି ଡାକ୍ତର ସଇଦ୍‌ କ୍ୟୁରେସି ଡାକ୍ତର ଗୁପ୍ତଙ୍କ ଗସ୍ତକୁ ପାକିସ୍ତାନ ପାଇଁ ଶୁଭଙ୍କର ବୋଲି କହିଛନ୍ତି।

ସେ କହିଛନ୍ତି, ଡାକ୍ତର ଗୁପ୍ତ କେବଳ ଏହି ଜଟିଳ ଅସ୍ତ୍ରୋପଚାର କରିବେ ନାହିଁ, ସେ ପାକିସ୍ତାନୀ ଡାକ୍ତରମାନଙ୍କୁ ନିଜ ଅଭିଜ୍ଞତାରୁ ତାଲିମ୍‌ ଦେଇ ପ୍ରତିରୋପଣ ଅସ୍ତ୍ରୋପଚାର କ୍ଷେତ୍ରରେ ପବୀଣ କରାଇବେ।

ଗୁପ୍ତଙ୍କ ଠାରୁ ଶିଖିବା ପରେ ପାକିସ୍ତାନୀ ଡାକ୍ତରମାନେ ଯକୃତ୍‌ ପ୍ରତିରୋପଣ କରିବାକୁ ସମର୍ଥ ହେବେ ବୋଲି ଡାକ୍ତର କ୍ୟୁରେସି କହିଛନ୍ତି।
ଦିଲ୍ଲୀର ଡାକ୍ତର ଗୁପ୍ତ ଏବେ ମ୍ୟାକ୍ସ୍‍ ସୁପର୍‌ ସ୍ପେସିଆଲିଟି ହସ୍‌ପିଟାଲ୍‌ର ଲିଭର୍‌ ଆଣ୍ଡ୍‌ ବାଇଲାରି ସାଇନ୍‌ସେସ୍‌ ବିଭାଗର ଅଧ୍ୟକ୍ଷ ଅଛନ୍ତି।

ଗତବର୍ଷ ଡିସେମ୍ବର ମାସରେ ଏହି ୫୬ ବର୍ଷିୟ ସର୍ଜନ ଶେଷ ଥର ପାଇଁ ପାକିସ୍ତାନରେ ଅସ୍ତ୍ରୋପଚାର କରିଥିଲେ।

ସମ୍ବନ୍ଧିତ ଖବର