ଜୈବ ଇନ୍ଧନ ବ୍ୟବହାର କରି ଦେଶର ସର୍ବ ପ୍ରଥମ ବିମାନ ସୋମବାର ଡେରାଡୁନ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବ

ନୂଆଦିଲ୍ଲୀ: ଦେଶରେ ସର୍ବ ପ୍ରଥମ ଥର ପାଇଁ ଜୈବ ଇନ୍ଧନ ବ୍ୟବହାର କରି ଏକ ବିମାନ ଆସନ୍ତା ସୋମବାର (ଅଗଷ୍ଟ ୨୭ ତାରଖ) ଡେରାଡୁନ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବ ବୋଲି ଜାଣିବାକୁ ମିଳିଛି। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆସନ୍ତା ସୋମବାର ଦିନ ସ୍ପାଇସ୍‌ ଜେଟ୍‌ର ଏକ କ୍ୟୁ- ୪୦୦ ବିମାନ ଜୈବ ଇନ୍ଧନ ବ୍ୟବହାର କରି ଡେରାଡୁନ୍‌ରୁ ନୂଆଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏହି ବିମାନଟି ଜୈବ ଇନ୍ଧନ ବ୍ୟବହାର କରି ପ୍ରଥମେ ଡେରାଡୁନ୍‌ ସହର ଉପରେ ୧୦ ମନିଟ କାଳ ଚକ୍କର କାଟିବା ପରେ ଡେରାଡୁନ୍‌ ବିମାନ ବନ୍ଦରରେ ଅବତରଣ କରିବ। ଏହାପରେ ବିମାନଟିକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବ। ଜୈବ ଇନ୍ଧନ ବ୍ୟବହାର କରି ୧୦ ମିନିିଟ ଉଡ଼ାଣ ଭରିବା ପରେ ଯଦି ସବୁକିଛି ଠିକ୍‌ ଠାକ୍‌ ରହେ, ତେବେ ପରବର୍ତ୍ତୀ ସମୟରେ ବିମାନଟି ଡେରାଡୁନ୍‌ ବିମାନ ବନ୍ଦରରୁ ନୁଆଦିଲ୍ଲୀ ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିବ। ଜୈବ ଇନ୍ଧନ ବ୍ୟବହାର କରି ଉଡ଼ାଣ ଭରିବାକୁ ଥିବା ଦେଶର ଏଇ ସର୍ବପ୍ରଥମ ବିମାନରେ ସେଦିନ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କ ଠାରୁ ଆରମ୍ଭ କରି ବିମାନ ଚଳାଚଳ ସଂପୃକ୍ତ ବହୁ ବରିଷ୍ଠ କର୍ମକର୍ତ୍ତା ସବାର ରହିବେ। ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା ଓ ଅଷ୍ଟ୍ରେଲିଆ ଜୈବ ଇନ୍ଧନ ବ୍ୟବହାର କରି ବିମାନ ଉଡ଼ାଣରେ ସଫଳତା ହାସଲ କରିଥିବା ବେଳେ ଏବେ ଏଇ ତାଲିକାରେ ପ୍ରଥମ ବିକାଶଶୀଳ ଦେଶ ଭାବେ ଭାରତ ନିଜର ନାଁକୁ ସାମିଲ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର