‘ହିନ୍ଦୀ- ଚିନୀ ଭାଇ-ଭାଇ! ଏହାକୁ ଆଦୌ ହେଲେ ବିଶ୍ୱାସ କରିବ ନାହିଁ’: ଜବାହରଲାଲ ନେହରୁ
‘ଚୀନାମାନେ ଉଦ୍ଧତ, ଅହଂକାରୀ, ଅସାଧୁ, କୁଟିଳ, ଅବିଶ୍ୱସ୍ତ...’
ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ, ପଡ଼ୋଶୀ ରାଷ୍ଟ୍ର ଚୀନ୍କୁ ଆଦୌ ହେଲେ ବିଶ୍ୱାସର ସହ ଗ୍ରହଣ କରୁ ନଥିଲେ। ପ୍ରଧାନମନ୍ତ୍ରୀ ନେହରୁଙ୍କ ଦୃଷ୍ଟିରେ ପଡ଼ୋଶୀ ଚୀନ୍ ଥିଲା; ‘ଏକ ଉଦ୍ଧତ, ଅହଂକାରୀ, ଅସାଧୁ, କୁଟିଳ, ଅବିଶ୍ୱସ୍ତ ଓ ଏକ ନେତୃତ୍ୱ କାଙ୍ଗାଳ ରାଷ୍ଟ୍ର।’ ନେହରୁଙ୍କ ସହ ଅତି ଘନିଷ୍ଠ ଭାବେ ଜଡ଼ିତ ଥିବା କୂଟନୈତିକ ଜି. ପାର୍ଥସାରଥୀଙ୍କ ଏକ ଲେଖାରୁ ଚୀନ୍ ପ୍ରତି ନେହରୁଙ୍କ ଏପ୍ରକାର ଦୃଷ୍ଟିଭଙ୍ଗୀ ବାବଦରେ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜି. ପାର୍ଥସାରଥୀଙ୍କ ପୁତ୍ର ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିଜ୍ଞାନ ଓ ଜ୍ଞାନକୌଶଳ ଉପଦେଷ୍ଟା ଥିବା ପ୍ରଫେସର ଅଶୋକ ପାର୍ଥସାରଥୀ, ଜି. ପାର୍ଥସାରଥୀଙ୍କ ଉପରେ ଲେଖିଥିବା ‘ଜିପି: ୧୯୧୫- ୧୯୯୫’ ଶୀର୍ଷକ ଏକ ପୁସ୍ତକରେ ଏହି ଅଜ୍ଞାତ ତଥ୍ୟକୁ ଲୋକଲୋଚନକୁ ଆଣିଛନ୍ତି।
ଚୀନ୍ ସଂପର୍କିତ ସମସ୍ତ ତଥ୍ୟ କେବଳ ମାତ୍ର ତାଙ୍କୁ ବ୍ୟକ୍ତଗତ ଭାବେ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ନେହରୁ ଚୀନ୍ ବ୍ୟାପାର ସହ ସଂପୃକ୍ତ ଥିବା କୂଟନୈତିକ ଜି. ପାର୍ଥସାରଥୀଙ୍କୁ ସିଧାସଳଖ ନିର୍ଦ୍ଦେଶ ଦେଇଥିଲେ। ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଭି. କେ କ୍ରଷ୍ଣ ମେନନ୍ ସୁଦ୍ଧା ନେହରୁଙ୍କ ଏପ୍ରକାରର ନୀତିଗତ ନିର୍ଦ୍ଦେଶନାମା ବାବଦରେ ଅଜ୍ଞ ଥିଲେ।
ପ୍ରକାଶିତ ପୁସ୍ତକର ଏକ ଆଲେଖ୍ୟ ଅନୁଯାୟୀ ଥରେ ଜି. ପାର୍ଥସାରଥୀଙ୍କୁ ପ୍ରଧାନମନ୍ତ୍ରୀ ନେହରୁ ଏକ ଆଲେଚନା ପାଇଁ ଡକାଇଥିଲେ; ଆଉ କହିଲେ: ‘ଆଉ ଜିପି, ବୈଦେଶିକ କାର୍ଯ୍ୟାଳୟ କ’ଣ କହିଲା ତୁମକୁ? ହିନ୍ଦୀ- ଚିନୀ ଭାଇ-ଭାଇ! ଏହାକୁ ଆଦୌ ହେଲେ ବିଶ୍ୱାସ କରିବ ନାହିଁ। ମୋର ସାମାନ୍ୟରୁ ସାମାନ୍ୟତମ ବିଶ୍ୱାସ ନାହିଁ ଚୀନାମାନଙ୍କ ଉପରେ।’ ଏହି କହି ପ୍ରଧାନମନ୍ତ୍ରୀ ନେହରୁ ଜି. ପାର୍ଥସାରଥୀଙ୍କ ସହ ଆଲୋଚନା ଆରମ୍ଭ କରି ଚୀନ୍ ସଂପର୍କରେ ତାଙ୍କୁ କହିଥିଲେ, ‘ଚୀନାମାନେ ଉଦ୍ଧତ, ଅହଂକାରୀ, ଅସାଧୁ, କୁଟିଳ, ଅବିଶ୍ୱସ୍ତ ଓ ଏକ ନେତୃତ୍ୱ କାଙ୍ଗାଳ। ସେମାନେ ତୁମର ପ୍ରତ୍ୟେକଟି କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏଣୁ ଯାହା ବି କଥା ତୁମେ ଜଣାଇବାକୁ ଚାହିଁବ; ସେସବୁ ସିଧାସଳଖ ଭାବେ ମୋ ପାଖକୁ ଟେଲିଗ୍ରାମ୍ କରିଦେବ। ମୁଁ ତୁମକୁ ଏପରି ନିର୍ଦ୍ଦେଶ ଦେଇଛି ବୋଲି ଯେପରି କ୍ରିଷ୍ଣ ଜାଣିବାକୁ ନପାଏ। କାରଣ, କ୍ରିଷ୍ଣ, ତୁମେ ଓ ମୁଁ- ଆମମାନଙ୍କ ଦୃଷ୍ଟିକୋଣ ସାଧାରଣ। ତେଣୁ, ସେମାନଙ୍କୁ ବୁଝିବା ଏତେ ସହଜ ବ୍ୟାପାର ନୁହେଁ।’… ଏହପରି ଭାବେ ଚୀନ୍ ବାବଦରେ ଅନେକ ଅଜ୍ଞାତ ତଥ୍ୟର ଖୁଲାସା ହୋଇଛି ଏହି ପୁସ୍ତକରେ। ଚଳିତ ସପ୍ତାହରେ ଏହି ପୁସ୍ତିକଟିର ଆନୁଷ୍ଠାନିକ ଭାବେ ଲୋକାର୍ପିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ପୁସ୍ତକଟିର ମୁଖବନ୍ଧ ଲେଖିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।