ମାନୁଷୀ ହେଲେ ମିସ୍‌ ଓ୍ଵାର୍ଲ୍ଡ

ପୁଣି ଇତିହାସ ରଚିଲେ ଭାରତୀୟ ସୁନ୍ଦରୀ

୧୭ବର୍ଷ ପରେ ଭାରତକୁ ମିଳିଲା ବିଶ୍ୱ ସୁନ୍ଦରୀ ମୁକୁଟ

ବେଜିଂ : ପୁଣିଥରେ ଇତିହାସ ରଚିବାକୁ ସକ୍ଷମ ହୋଇଛନ୍ତି ଭାରତୀୟ ସୁନ୍ଦରୀ। ଚୀନ୍‌ର ସନାୟା ସହରରେ ଚାଲିଥିବା ମିସ୍‌ ଓ୍ଵାର୍ଲ୍ଡ ୨୦୧୭ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ଭାରତୀୟ ଲଳନା ମାନୁଷୀ ଛିଲ୍ଲର(୨୦) ମିସ୍‌ ଓ୍ଵାର୍ଲ୍ଡ ମୁକୁଟ ହାସଲ କରିଛନ୍ତି। ୧୭ ବର୍ଷ ପରେ ପୁଣିଥରେ ଦେଶ ପାଇଁ ଏହି ଗୌରବ ଆଣିଦେଇଛନ୍ତି ହରିୟାଣା ସୋନିପତର ମାନୁଷୀ। ଆଜି ସନ୍ଧ୍ୟାରେ ଏହି ଘୋଷଣା ହେବା ପରେ ସମଗ୍ର ଦେଶରେ ଖୁସିର ଲହରୀ ଖେଳିଯାଇଛି।

୬୭ତମ ମିସ୍‌ ଓ୍ଵାର୍ଲ୍ଡ ପ୍ରତିଯୋଗିତାରେ ମୋଟ ୧୧୮ ସୁନ୍ଦରୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରେ ବିଭିନ୍ନ ମାପକାଠିରେ ଅଗ୍ରଣୀ ରହି ମାନୁଷୀ ବାଜି ମାରିନେଇଛନ୍ତି। ଏହି ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମିସ୍‌ ମେକ୍ସିକୋ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ମିସ୍‌ ବ୍ରିଟେନ। ସ୍ମରଣଯୋଗ୍ୟ, ୨୦୦୦ ମସିହାରେ ପ୍ରିୟଙ୍କା ଚୋପ୍ରା ମିସ୍‌ ଓ୍ଵାର୍ଲ୍ଡ ବିଜୟିନୀ ହୋଇଥିବା ବେଳେ ୧୯୯୭ରେ ଯୁକ୍ତା ମୁଖି ଏବଂ ୧୯୯୪ରେ ଐଶ୍ୱର୍ଯ୍ୟା ରାୟ ମିସ୍‌ ଓ୍ଵାର୍ଲ୍ଡ ବିବେଚିତ ହୋଇଥିଲେ। ସେହିବର୍ଷ ଅନ୍ୟ ଏକ ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ସୁସ୍ମିତା ସେନ୍‌ ମିସ୍‌ ୟୁନିଭର୍ସ ଟାଇଟଲ୍‌ ହାସଲ କରିଥିଲେ। ଏହି ସମସ୍ତ ଭାରତୀୟ ସୁନ୍ଦରୀ ପରବର୍ତ୍ତୀ ସମୟରେ ବଲିଉଡ୍‌ରେ ପ୍ରବେଶ କରି ନିଜର ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରିବା ସହ ଜଣେ ଜଣେ ଅଭିନେତ୍ରୀ ଭାବେ ଈର୍ଷଣୀୟ ସଫଳତାର ଅଧିକାରୀ ହୋଇଥିଲେ।

ତେବେ ପ୍ରିୟଙ୍କାଙ୍କ ପରେ ମାନୁଷୀଙ୍କ ରୂପରେ ଆଉ ଜଣେ ଭାରତୀୟ ମିସ୍‌ ଓ୍ଵାର୍ଲ୍ଡ ପାଇବା ପାଇଁ ଦେଶବାସୀଙ୍କୁ ଏତେ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ଶେଷରେ ଆଜି ଏହି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ମାନୁଷୀ ଏବେ ହରିୟାନାର ସୋନିପତ ସରକାରୀ ଡାକ୍ତରୀ ମହାବିଦ୍ୟାଳୟର ଛାତ୍ରୀ। ଭବିଷ୍ୟତରେ ଜଣେ ଭଲ ହୃଦ୍‌ରୋଗ ସର୍ଜନ ହେବାକୁ ତାଙ୍କର ଲକ୍ଷ୍ୟ ରହିଛି। ତାଙ୍କ ପିତା ଡାକ୍ତର ମିତ୍ରବାସୁ ଛିଲ୍ଲର ଭେଷଜ ବିଭାଗର ଡାକ୍ତର ହୋଇଥିବା ବେଳେ ଡିଆର୍‌ଡିଓର ଜଣେ ଖ୍ୟାତନାମା ବୈଜ୍ଞାନିକ ମଧ୍ୟ। ମାନୁଷୀଙ୍କ ମା’ ଡାକ୍ତର ନିଲମ ଛିଲ୍ଲର ଜୈବ ରସାୟନ ବିଭାଗର ଜଣେ ପ୍ରଫେସର। ଚଳିତ ବର୍ଷ ଜୁନ୍‌ ମାସରେ ମାନୁଷୀ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ପ୍ରିୟଦର୍ଶିନୀ ଚାଟାର୍ଜୀଙ୍କୁ ପଛରେ ପକାଇ ମୁକୁଟ ଜିତିଥିଲେ। । ୧୯୬୬ ମସିହାରେ ମିସ୍‌ ୟୁନିଭର୍ସ ମୁକୁଟ ହାତେଇଥିବା ଭାରତୀୟ ସୁନ୍ଦରୀ ରୀତା ଫାରିଆଙ୍କୁ ମାନୁଷୀ ନିଜର ଆଦର୍ଶ ବୋଲି କହିଛନ୍ତି। ରୀତା ହେଉଛନ୍ତି ପ୍ରଥମ ଭାରତୀୟ ତଥା ପ୍ରଥମ ଏସୀୟ ଯିଏ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀ ହୋଇପାରିଥିଲେ। ମାନୁଷୀ ଜଣେ ଉତ୍କଷ୍ଟ କୁଚିପୁଡ଼ୀ ନୃତ୍ୟାଙ୍ଗନା ଓ ଜାତୀୟ ଡ୍ରାମା ସ୍କୁଲ୍‌ର ଜଣେ ସଦସ୍ୟା। ଜଣେ ମଡେଲ ଭାବେ ସୁଖ୍ୟାତି ଲାଭ କରିବା ତାଙ୍କର ଲକ୍ଷ୍ୟ ବୋଲି ମାନୁଷୀ କହିଛନ୍ତି।

ଶେଷ ରାଉଣ୍ଡରେ ମାନୁଷୀଙ୍କୁ ବିଚାରକ ମଣ୍ଡଳୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ମାନୁଷୀ ସମସ୍ତଙ୍କୁ ଭାବବିହ୍ଵଳ କରିଦେଇଥିଲେ। ତାଙ୍କୁ ପଚରାଯାଇଥିଲା, କେଉଁ ବୃତ୍ତିରେ ସବୁଠୁ ଅଧିକ ଦରମା ମିଳିବା କଥା ଆଉ କାହିଁକି? ଏହାର ଉତ୍ତରଦେଇ ମାନୁଷୀ କହିଥିଲେ, ପ୍ରତ୍ୟେକ ମା’ଙ୍କୁ ସବୁଠୁ ଅଧିକ ପ୍ରୋତ୍ସାହନ ମିଳିବା କଥା। ମା’ଙ୍କୁ ତ’ ଦରମା ଦେଇ ହେବ ନାହିଁ ବରଂ ତାଙ୍କୁ ପ୍ରଚୁର ସମ୍ମାନ ଆଉ ଭଲପାଇବା ଦେବା ଅବଶ୍ୟକ। କାରଣ ଦୁନିଆରେ ମା’ଠାରୁ ଅଧିକ କାମ କେହି କରି ନଥାନ୍ତି। ତାଙ୍କ ମା’ ହିଁ ତାଙ୍କର ସବୁଠୁ ବଡ଼ ଆଦର୍ଶ ବୋଲି ମାନୁଷୀ କହିଥିଲେ। ମାନୁଷୀଙ୍କର ଏଭଳି ଉତ୍ତର ଶୁଣି ତାଙ୍କ ପିତା ମଧ୍ୟ ଲୁହ ସମ୍ବରଣ କରି ପାରିନଥିଲେ।

ସମ୍ବନ୍ଧିତ ଖବର