ଇଣ୍ଡିଗୋ ଓ ଏୟାର ଡେକାନର ଦୁଇ ଯାତ୍ରୀବାହୀ ବିମାନ ମଝି ଆକାଶରେ ମୁହାଁମୁହିଁ ଧକ୍କା ହେବା ପୂର୍ବରୁ ଅଳ୍ପକରେ ବର୍ତ୍ତିଲେ

ମୁମ୍ବାଇ: ଇଣ୍ଡିଗୋ ଓ ଏୟାର ଡେକାନର ଦୁଇଟି ଯାତ୍ରୀବାହୀ ବିମାନ ବାଂଲାଦେଶର ଢ଼ାକା ଆକାଶ ସୀମା ମଧ୍ୟରେ ମଝି ଆକାଶରେ ପରସ୍ପର ସହ ସାମ୍ନା ସାମ୍ନି ପିଟିହୋଇ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଅଳ୍ପକରେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ଘଟିଥିଲା ଗତ ମେ ୨ ତାରିଖରେ। ତେବେ, ଏ ଘଟଣା ଜଣାପଡ଼ିବା ପରେ ଏହାକୁ ନେଇ ହଇଚଇ ସୃଷ୍ଟି ହେବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ମେ ୨ ତାରିଖ ଅପରାହ୍ଣରେ ଇଣ୍ଡିଗୋର ୬ଇ୮୯୨ ନମ୍ବର ବିଶିଷ୍ଟ ବିମାନଟି କୋଲକାତାରୁ ଅଗରତାଲା ଅଭିମୁଖେ ଉଡ଼ାଣ ଭରିଥିବା ବେଳେ ଏୟାର ଡେକାନର ଡିଏନ୍‌ ୬୦୨ ନମ୍ବର ବିଶିଷ୍ଟ ବିମାନଟି ଅଗରତାଲାରୁ କୋଲକାତା ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ, ଢ଼ାକାର ଆକାଶ ସୀମା ମଧ୍ୟରେ ଉଭୟ ବିମାନ ପରସ୍ପରର ବିପରୀତ ଦଗରେ ମଝି ଆକାଶରେ ଆସୁଥିବା ବେଳେ ପରସ୍ପରର ଅତି ନିକଟତର ହୋଇଯାଇଥିଲେ। ଉଭୟଙ୍କ ମଧ୍ୟରେ ମାତ୍ର ୭୦୦ ମିଟରର ବ୍ୟବଧାନ ରହିଯାଇଥିଲା। ତେବେ ଏଇ ଦୁଇ ବିମାନ ମଝି ଆକାଶରେ ପରସ୍ପର ସହ ଧକ୍କା ଖାଇ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେବା ପୂର୍ବରୁ ଉଭୟ ବିମାନର କକ୍‌ପିଟ୍‌ରେ ଲାଗିଥିବା ବିପଦକାଳୀନ ଘଣ୍ଟି ବାଜି ଉଠିବାରୁ ଉଭୟ ବିମାନର ପାଇଲଟ୍‌ ସତର୍କ ହୋଇଯିବା ସହ ନିଜ ନିଜ ବିମାନକୁ ପରସ୍ପର ଠାରୁ ଦୂରେଇ ନେଇଥିଲେ। ଫଳରେ ଉଭୟ ବିମାନ ମଧ୍ୟରେ ହେବାକୁ ଥିବା ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା। ତେବେ, ଏହି ଘଟଣା ସଂପର୍କରେ ଜଣାପଡ଼ିବା ପରେ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେସନ୍‌ ବ୍ୟୁରୋ (ଏଏଆଇବି) ପକ୍ଷରୁ ଏହି ଘଟଣା ସଂପର୍କରେ ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର